ଓସିଏ ଆପେକ୍ସ କାଉନସିଲ ବୈଠକ, ଖେଳାଳୀଙ୍କୁ ଟିକାକରଣ ଉପରେ ଗୁରୁତ୍ୱ

କଟକ, ୧୭ା୬( ଦି ପ୍ରଗତି ନ୍ୟୁଜ): ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ର ଆପେକ୍ସ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ସଭାପତିତ୍ୱ କରିଥିଲେ । ଏହି ବୈଠକରେ ମୁଖ୍ୟତଃ ପଞ୍ଜିକୃତ ଖେଳାଳୀ ଓ ଓସିଏ କର୍ମଚାରୀଙ୍କୁ ଟିକାକରଣ କରାଯିବା ନେଇ ଗୁରୁତ୍ୱାରୋପ କରାଯାଇଥିଲା । ବାରବାଟୀ ଷ୍ଟାଡ଼ିୟମରେ ଏକ ଟିକାକରଣ କ୍ୟାମ୍ପ ଆୟୋଜନ କରିବାକୁ ସରକାରଙ୍କୁ ନିବେଦନ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକ ପ୍ରାରମ୍ଭରେ ଦିବଂଗତ ପ୍ରଥମ ଶ୍ରେଣୀ କ୍ରିକେଟର ସ୍ୱର୍ଗତଃ ରବିନାରାୟଣ ପଣ୍ଡା ଓ ସ୍ୱର୍ଗତଃ ପ୍ରଶାନ୍ତ ମହାପାତ୍ରଙ୍କ ସ୍ମୃତିଚାରଣ କରାଯିବା ସହ ଦିଂବଗତ ଆତ୍ମାର ସଦଗତି ପାଇଁ ୧ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବୈଠକ ପୂର୍ବରୁ ଟୁର୍ଣ୍ଣାମେଣ୍ଟ କମିଟି ଦ୍ୱାରା ପ୍ରଦତ୍ତ ମତାମତକୁ ବର୍ତ୍ତମାନର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବିଚାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଓସିଏର ଅଫିସିଆଲ ୱେବସାଇଟ www.odishacricket.in ର ଶୁଭାରମ୍ଭ କରାଯିବା ସହ ଟ୍ୱିଟର, ଇଷ୍ଟାଗ୍ରାମ ଓ ଫେସବୁକ୍ ଆଦି ସୋସିଆଲ ମିଡ଼ିଆ ଆକାଉଣ୍ଟର ଶୁଭ ଉନ୍ମୋଚନ କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଅକ୍ଷୟ କୁମାର ସାମନ୍ତ, ସଂପାଦକ ସଞ୍ଜୟ ବେହେରା, ଯୁଗ୍ମ ସମ୍ପାଦକ ମେହେତାବ ଖାନ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ୍ ସଦସ୍ୟ ଶୁଭାଶିଷ୍ ସେନାପତି ସିଏଜି ଦୀପକ ରଘୁ, ପ୍ଲେୟାର ଆସୋସିଏସନ ସଦସ୍ୟ ଅବକାଶ ଖଟୁଆ, ରଶ୍ମିତା ମହାନ୍ତି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।