ବିଧାନସଭାକୁ ଯାଉଥିବା ସମସ୍ତ ମାର୍ଗରେ କଟକଣା ଜାରି ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର, ୩୦/୧୦ : ଆସନ୍ତାକାଲିଠୁ ୩୧ ତାରିଖ ଯାଏଁ ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ । ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭାର ଶୀତ ଅଧିବେଶନ। ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ପୋଲିସ ଡିଜି ଅଭୟ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ୍ ଓ ଡିସିପିଙ୍କ ସହ ମିଶି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ବିଧାନସଭାକୁ ଯାଉଥିବା ସମସ୍ତ ମାର୍ଗରେ କଟକଣା ଜାରି କରାଯାଇଛି।

ହାଉସିଂ ବୋର୍ଡ ଛକପଟୁ ଆସୁଥିବା ଗାଡ଼ିଗୁଡ଼ିକ କେଶରୀ ଟକିଜ୍ ଠାରୁ ଆଗକୁ ନଯାଇ ବାମପଟ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ସେହିପରି ଏଜି ଛକପଟୁ ପିଏମ୍ଜି ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟରେ ଥିବା ଇନ୍ଦିରା ଗାନ୍ଧି ପାର୍କ ରାସ୍ତା ଦେଇ ଯାଇପାରିବେ। ସେହିପରି ମାଷ୍ଟରକ୍ୟାଣ୍ଟିନ ପଟୁ ପିଏମଜି ଆଡ଼କୁ ଆସୁଥୁବା ସମସ୍ତ ଗାଡ଼ି ଲୋୟର ପିଏମଜି ଛକରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ। କିନ୍ତୁ ସେମାନଙ୍କୁ ମହାତ୍ମାଗାନ୍ଧୀ ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ। ୧୨୦ ବାଟାଲିୟନ ଛକ ପଟୁ ପିଏମଜି ଛକ ଆଡ଼କୁ ଆସୁଥୁବା ସମସ୍ତ ଗାଡ଼ି ପାୱାର ହାଉସ୍ ଛକ ଆଡ଼କୁ ଯିବେ। ରାଜଭବନ ଛକ ପଟୁ ଏମଏଲ୍ଏ କଲୋନି ଏବଂ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ସମସ୍ତ ଗାଡ଼ି ଶାସ୍ତ୍ରୀନଗର ଆଡ଼କୁ ଯିବେ। ଏହି କଟକଣା ବିଧାନସଭା, ଲୋକସେବା ଭବନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟଳୟକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବ ନାହିଁ।