ଗୃହରେ ବିରୋଧୀଙ୍କ ଜୋରଦାର ନାରାବାଜି, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ୱର,୨୬/୦୯: ସ୍ୱାଭାବିକ ହୋଇପାରୁନି ବିଧାନସଭା । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକ ଫେଲ ମାରିଛି । ପ୍ରଶ୍ନକାଳ ଆରମ୍ଭରୁ ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ହଙ୍ଗାମା କରିବାରୁ ଗୃହକୁ ଦିନ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ଦିନ ୧୨ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ ପୋଡିୟମ ତଳେ ନାରାବାଜି କରିଥିଲେ । ସେପଟେ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ଓ ଏମଏସପି ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ । ହଙ୍ଗାମା ପରେ ଗୃହକୁ ପ୍ରଥମେ ୫ ମିନିଟ୍ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ବିଜେପି ବିଧାୟକମାନେ କଳାବ୍ୟାଜ୍ ପିନ୍ଧି ଗୃହକୁ ପ୍ରବେଶ କରିଥିଲେ । ବିଜେପି ବିଧାୟକ ପଚାରୁଥିବା ପ୍ରଶ୍ନକୁ ନାକଚ କରାଯାଉଥିବା ଅଭିଯୋଗ ଆଣି ଗୃହର ମଧ୍ୟଭାଗରେ ହୋହଲ୍ଲା କରିଥିଲେ । ସେପଟେ ବିଜେଡି ବିଧାୟକମାନେ ମଧ୍ୟ ଏମଏସପି ପ୍ରସଙ୍ଗ ଉଠାଇ ହଟଗୋଳ କରିଥିଲେ ।