ସର୍ବଦଳୀୟ ବୈଠକରେ ସ୍ଥିର ହେଲା ବିଧାନସଭା କାର୍ଯ୍ୟସୂଚୀ

ଭୁବନେଶ୍ୱର, ୨୯/୧୧: ଆସନ୍ତା ୧ ତାରିଖରୁ ୩୧ ତାରିଖ ଯାଏଁ ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ । ତେଣୁ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବୈଠକ ପରେ ବାଚସ୍ପତି ସୂଚନା ଦେଇ କହିଛନ୍ତି ଯେ ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭାର ଶୀତ ଅଧିବେଶନ। ପୂର୍ବାହ୍ନରେ ସାଢ଼େ ୧୦ରୁ ଦେଢ଼ଟା ଯାଏ ଓ ସେହିପରି ଅପରାହ୍ନରେ ୪ଟାରୁ ୬ଟା ଯାଏ ଗୃହକାର୍ଯ୍ୟ ଚାଲିବ । ପ୍ରଥମ ଦିନ ଅପରାହ୍ନ ୫ଟାରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବା ନେଇ ସୂଚନା ରହିଛି । ବିରୋଧୀ ୫୫ ମିନିଟ୍ ଓ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳ ପାଇଁ ୩୫ ମିନିଟ୍ ରହିବ । ସପ୍ତାହକ ୬ ଦିନ ମଧ୍ୟରେ ୪ ଦିନ ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ୨ ଦିନ ମୁଲତବୀ ପ୍ରସ୍ତବ ଦେଇପାରିବ । ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନକାଳ ବେଳେ ହଟ୍ଟାଗୋଳ ନ କରିବାକୁ ବାଚସ୍ପତି ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ ଆସନ୍ତା ୧ ରେ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ୨୬ ଦିନ ଧରି ଚାଲିବ । ମୁଲତବୀ ପ୍ରସ୍ତାବ ଉପରେ ୯୦ ମିନିଟ୍ ଆଲୋଚନା ହେବ ।