ଓଡ଼ିଆରେ ପ୍ରସ୍ତୁତ ହେବ ଓଏଏସ ପ୍ରଶ୍ନପତ୍ର

ଭୁବନେଶ୍ୱର,୨୨/୯:ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ଇଂରାଜୀ ଭାଷା ବାଧକ ସାଜିବ ନାହିଁ। ଏଣିକି ଓଡ଼ିଆରେ ପ୍ରସ୍ତୁତ ହେବ ଓଏଏସ ପ୍ରଶ୍ନପତ୍ର। ଓଡ଼ିଆ ଭାଷାରେ ଉତ୍ତର ଲେଖିପାରିବେ ପରୀକ୍ଷାର୍ଥୀ। ୨୦୧୭ରେ ଇଂରାଜୀରେ ପ୍ରଶ୍ନପତ୍ର ଆସୁଥିବା ବେଳେ ଓଡ଼ିଆ ଭାଷାରେ ଉତ୍ତର ଲେଖିବାକୁ ଅନୁମତି ଦିଆଯାଇଥିଲା। ମାତ୍ର ସଚେତନତା ଅଭାବରୁ ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରି ନଥିଲେ। ଉତ୍ତର ବି ଲେଖି ନ ଥିଲେ। ‌ତେଣୁ ଏବେ ପୁଣିଥରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଆ ଭାଷାରେ ଓଏଏସ ପରୀକ୍ଷା ପ୍ରିଲିମ୍, ମେନ୍ ଓ ସାକ୍ଷାତକାର ପରୀକ୍ଷା ହେବ। ପ୍ରଶ୍ନପତ୍ରର ପ୍ରଶ୍ନଗୁଡ଼ିକ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ରହିବ। ପରୀକ୍ଷାର୍ଥୀ ନିଜ ସୁବିଧା ଅନୁଯାୟୀ ଇଂରାଜୀ ନ ହେଲେ ଓଡ଼ିଆ ଭାଷାରେ ଲେଖିପାରିବେ। ଏସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)କୁ ଚିଠି ଲେଖାଯାଇ ଅବଗତ କରାଯାଇଛି।