ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦/୦୯: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଚାଷୀ ତାର ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବ । ନୂଆଁଖାଇ ପାଇଁ ଘରେ ଘରେ ପିଠାପଣା ପ୍ରସ୍ତୁତି ହୋଇଛି । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ମା’ଙ୍କ ନିକଟରେ ନବାନ୍ନ ଲାଗି ହୋଇଛି । ନୂଆଁଲାଗି ସାରିବା ପରେ ପରିବାର ସହ ଏକାଠି ନୂଆଁଖାଇବେ ପଶ୍ଚିମ ଓଡିଶାବାସୀ । ପରେ ଜୁହାରଭେଟ୍ ତାପରେ ନୂଆଁଖାଇ ଭେଟଘାଟରେ ଦୁଲୁକୁଛି ଗାଁଠୁ ସହର ।

ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତିି ଦ୍ରୌପଦୀ ମୁର୍ମୁ । ଲେଖିଛନ୍ତି ଧାନ ଅମଳର ଆନନ୍ଦ ଉଲ୍ଲାସ ଭିତରେ ଏହି ପର୍ବ ପାଳିତ ହୋଇଥାଏ । ନୂଆଁଖାଇ ଭାଇଚାରା ଓ ଖୁସିର ବାର୍ତା ଦେଇଥାଏ । ଏହି ଶୁଭ ଅବସରରେ ଦେଶ ତଥା ଦେଶବାସୀଙ୍କ ସୁଖ ସମୃଦ୍ଧି ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି ।

ସେହିପରି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଶାନ୍ତି, ମୈତ୍ରୀ ଓ ଆନନ୍ଦର ପବିତ୍ର ପରମ୍ପରା ଓ ପର୍ବ ‘ନୂଆଁଖାଇ’ ଅବସରରେ ରାଜ୍ୟବାସୀ ବିଶେଷ କରି ପଶ୍ଚିମ ଓଡ଼ିଶାର ଭାଇ ଭଉଣୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ମା ସମଲେଇଙ୍କୁ ପ୍ରାର୍ଥନା କରି ସମସ୍ତଙ୍କ ସମୃଦ୍ଧି କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ଲେଖିଛନ୍ତି, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା । ମା’ ସମଲେଶ୍ବରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ।