ସମ୍ବଲପୁରରେ ଆହୁରି ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ

ଭୁବନେଶ୍ୱର,୧୮/୪: ସମ୍ବଲପୁର ସହରରେ ଆହୁରି ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଆସନ୍ତାକାଲି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଆଜି ଦିନ ୧୦ଟାରେ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା କଟକଣା ସରୁଥିଲା । ଦୀର୍ଘ ୫ ଦିନ ଧରି ଇଣ୍ଟରନେଟ୍ ସେବାରୁ ସମ୍ବଲପୁରବାସୀ ବଞ୍ଚିତ ଥିବାରୁ ଆଜି କଟକଣା ହଟିବ ବୋଲି ଆଶା କରାଯାଉଥିଲା । ହେଲେ ଏହି ଅବଧିକୁ ଆଉ ୨୪ ଘଣ୍ଟା ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ସମ୍ବଲପୁରବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୧୨ ତାରିଖ ସନ୍ଧ୍ୟାରେ ହନୁମାନ ଜୟନ୍ତୀ ବାଇକ୍ ରାଲି ବେଳେ ସମ୍ବଲପୁରରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ୧୪ ତାରିଖ ପର୍ଯ୍ୟନ୍ତ ଲାଗିରହିଥିଲା। ସମ୍ବଲପୁର ହିଂସାକାଣ୍ଡ ରେ କର୍ଫ୍ୟୁ ସତ୍ତ୍ବେ ପୁଣି ହିଂସା ଘଟିଥିଲା। ଦୋକାନ ପୋଡିକୁ ପଥର ମାଡ଼ ହୋଇଥିଲା।