କେନ୍ଦ୍ର ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା କୁଇ ଏବଂ ଦେଶିଆ ଭାଷା ଶିକ୍ଷା ପୁସ୍ତକ ଏବଂ ଡାକ ଲଫାପା ଉନ୍ମୋଚିତ

ଭୁବନେଶ୍ୱର,୧୭/୦୮: ଆଜି ଭୁବନେଶ୍ୱର ଠାରେ କୁଇ ଏବଂ ଦେଶିଆ ଭାଷା ଶିକ୍ଷା ପୁସ୍ତକ ଏବଂ ଡାକ ଲଫାପା ଉନ୍ମୋଚନ ସମାରୋହରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପୁସ୍ତକ ଉନ୍ମୋଚନ କରାଯାଇଛି । ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି) ଏବଂ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ସହଭାଗିତାରେ ଦୁଇଟି ପୁସ୍ତକ ପ୍ରସ୍ତୁତ କରାଯାଇଛି । କୁଇ ଏବଂ ଦେଶିଆ ଭାଷାଭାଷୀ ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ଲାଗି ପୁସ୍ତକ ଦୁଇଟି ସହାୟକ ହୋଇପାରିବ ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଥିଲେ ଯେ, ଇଂରାଜୀ ଭାଷାରେ ଶିକ୍ଷାଦାନ ଓ ଦକ୍ଷତା ହାସଲର ଦୌଡ଼ରେ ଆମେ ମାତୃଭାଷାକୁ ଭୁଲିଯିବା ଭଳି ସ୍ଥିତିରେ ଆସି ପହଞ୍ଚିଛୁ । ଓଡ଼ିଶା ଭଳି ଭାଷା ଭିତ୍ତିରେ ଗଠନ ହୋଇଥିବା ରାଜ୍ୟଗୁଡ଼ିକ ସେମାନଙ୍କ ମାତୃଭାଷା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଏଥିପାଇଁ ବ୍ୟବସ୍ଥା କରାଯାଇଛି ।