ନୀଳାଦ୍ରିବିଜେରେ ନୀଳକନ୍ଦରକୁ ବାହୁଡ଼ି ଯିବେ ମହାପ୍ରଭୁ

ଭୁବନେଶ୍ୱର,୧୯/୦୭:  ନୀଳାଦ୍ରିବିଜେରେ ନୀଳକନ୍ଦରକୁ ବାହୁଡ଼ି ଯିବେ ମହାପ୍ରଭୁ। ଏହି ଦିନ ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ବଡ଼ ଦେଉଳକୁ ବିଜେ କରନ୍ତି ଚତୁର୍ଦ୍ଧାବିଗ୍ରହ । ରଥଯାତ୍ରାର ଏହି ଶେଷ ପର୍ବରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ କରିବା ଦିଗରେ ଗୁରୁତ୍ୱ ଦେବା ସହ ଏନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପୂର୍ବ ବର୍ଷ ଭଳି ନିର୍ଦ୍ଧାରିତ ସମୟ ପର୍ବରୁ ମହାପ୍ରଭୁଙ୍କ ପହଣ୍ଡି କରିବାକୁ ପଦକ୍ଷେପ ନିଆଯାଇଛି । ଏନେଇ ଦଇତାପତି ନିଯୋଗ ମଧ୍ୟ ସହମତି ପ୍ରକାଶ କରିଛନ୍ତି ।ସନ୍ଧ୍ୟା ଧୂପରେ ଚାଳରମାଳ ବାନ୍ଧାଯିବା ପରେ ପହଣ୍ଡି ଆରମ୍ଭ ହେବ । ଦିନ ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ୪ଟାରେ ପହଣ୍ଡି ଆରମ୍ଭ ହେବ । ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ କରିବାକୁ ସମୟ ନିର୍ଦ୍ଧାରଣ କରାଯାଇଛି । ତେବେ ଘୋଷଯାତ୍ରାର ଏହି ଅନ୍ତିମ ପର୍ବ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।