ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ, ମହାପ୍ରଭୁଙ୍କ ପହଣ୍ଡି ଦର୍ଶନ କଲେ ଭକ୍ତ

ଭୁବନେଶ୍ୱର,୧/୦୭: ୧୨ ଦିନର ଲୀଳାଖେଳ ପରେ ଆଜି ଚତୁର୍ଦ୍ଧାବିଗ୍ରହ ନୀଳାଦ୍ରି ବିଜେ କରୁଛନ୍ତି । ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରୁଛନ୍ତି । ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଯାଇଛି। ରାମ-କୃଷ୍ଣ, ମଦନମୋହନ ଶ୍ରୀମନ୍ଦିରକୁ ବିଜେ କଲା ପରେ ଶ୍ରୀବିଗ୍ରହମାନଙ୍କର ପହଣ୍ଡି ଆରମ୍ଭ ହୋଇଯାଇଛି। ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ର ପରେ ଦେବୀ ସୁଭଦ୍ରା ରଥରୁ ଓହ୍ଲାଇ ରତ୍ନମଣ୍ଡପକୁ ବିଜେ କରିଛନ୍ତି। ଶେଷର କାଳିଆ ଠାକୁର ନନ୍ଦିଘୋଷରୁ ଓହ୍ଲାଇ ପହଣ୍ଡିରେ ରତ୍ନବେଦିକୁ ଯାଉଛନ୍ତି। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ  ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି।