ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ

ଭୁବନେଶ୍ୱର, ୧୨/୭: ସରିଲା ଘୋଷ ଯାତ୍ରା ।  ଆଜି ନୀଳାଦ୍ରି ବିଜେ କରିବେ ଶ୍ରୀଜିଉ । ରଥାରୁଢ ଚତୁର୍ଦ୍ଧାମୂରତି ପୁଣି ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରିବେ । ମା ଲକ୍ଷ୍ମୀ ଙ୍କୁ ରସଗୋଲା ଖୁଆଇ ଜଗନ୍ନାଥ ମାନ ଭଞ୍ଜନ କରିବା ନୀତି ବଡ ଦେଉଳରେ ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।ନିର୍ଘଂଟ ନୀତି ଅନୁସାରେ ଆଜି ଭୋର ୪ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢେ ୪ଟାରେ ମଇଲମ ଓ ତଡପଲାଗି, ସକାଳ ୫ଟାରେ ଅବକାଶ ନୀତି ପରେ ସକାଳ ସାଢେ ୫ଟାରେ ବେଶ ଶେଷ ହୋଇଛି । ଅପରାହ୍ନ ସାଢେ ଗୋଟାଏରୁ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢେ ୩ଟାରେ ସିଂହାସନ ମାଜଣା କରାଯିବ । ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ଅପରାହ୍ନ ୪ଟାରୁ ପହଣ୍ଡି ଆରମ୍ଭ ହେବ ବୋଲି ସୂଚନା ମିଳିଛି ।