ରେଳ ଦୁର୍ଘଟଣା ପରେ ନୂଆ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ,୯/୬:  ବାହାନଗାରେ ରେଳ ଦୁର୍ଘଟଣା ପରେ ସୁରକ୍ଷାକୁ ଗୁରୁତ୍ୱ ଦେଇଛି ବିଭାଗ । ଏଥିପାଇଁ ରେଳବାଇ ବୋର୍ଡ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ରେଳ ଚଳାଚଳ କ୍ଷେତ୍ରରେ ସମୟାନୁବର୍ତିତା ଅପେକ୍ଷା ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି । ଯେମିତିକି ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ କ୍ଷେତ୍ର ଅଧିକାରୀ କେବଳ ସେହି କାର୍ଯ୍ୟରେ ସମୟ ଦେବେ ଓ ଅଧିକାଂଶ ସମୟ ଫିଲ୍ଡରେ ରହିବେ। ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ସମୟାନୁବର୍ତ୍ତିତା ପାଳନ , କୌଣସି ଇଂଜିନିୟର ମରାମତି ବେଳେ ସର୍ଟକଟ୍ ବା ସହଜ ଉପାୟ ଅବଲମ୍ବନ ନକରିବା ଉପରେ ଗୁରୁତ୍ୱ ଦେବେ। ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ବେଳେ ଆବଶ୍ୟକ ଅନୁଯାୟୀ ଯଥେଷ୍ଟ ସମୟ ପାଇଁ ରେଳ ଚଳାଚଳ ବନ୍ଦ କରାଯାଇପାରିବ।

ସେହିପରି ଯନ୍ତ୍ରୀ ବା ଶ୍ରମିକ କେମିତି ବିନା କୌଣସି ଦ୍ୱିଧାରେ କାମ କରିପାରିବେ, ସେହି ଅନୁସାରେ ମରାମତି ପାଇଁ ସମୟ ନିର୍ଦ୍ଧାରଣ କରାଯିବ। ବରିଷ୍ଠ ଅଧିକାରୀମାନେ ଫିଲ୍ଡକୁ ଯାଇ ତଦାରଖ କରିବା ସହ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁ ମାର୍ଗଦର୍ଶନ କରିବେ। ମୌସୁମୀ ଋତୁ ପୂର୍ବରୁ ପ୍ରତିଶେଧମୂଳକ ବ୍ୟବସ୍ଥା ତୁରନ୍ତ ଗ୍ରହଣ କରାଯିବ।