ବିଷ ବଳୟରେ ଦିଲ୍ଲୀବାସୀ, ଏକାଦଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ,୬/୧୧: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ବାୟୁ ପ୍ରଦୂଷଣ ଏବେ ସରକାରଙ୍କ ଚିନ୍ତା ବଢାଇଦେଇଛି । ଆଗକୁ ଦିପାବଳୀ ଆସୁଥିବାରୁ ବାୟୁ ପ୍ରଦୂଷଣ ମାତ୍ରା ଆହୁର ବଢିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଗାଡି ଚାଳକଙ୍କ ପାଇଁ ପୁଣି ଯୁଗ୍ନ ଅଯୁଗ୍ମ ନିୟମ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ଦୀପାବଳି ପର ଦିନ ଅର୍ଥାତ୍ ନଭେମ୍ବର ୧୩ ତାରିଖରୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଯୁଗ୍ନ ଅଯୁଗ୍ମ ନିୟମ ଲାଗୁ କରାଯିବ ବୋଲି ନିଷ୍ପତି ହୋଇଛି । ଯୁଗ୍ମ ନମ୍ବର ଲାଇସେନ୍ସଧାରି ଗାଡି ଯୁଗ୍ମ ତାରିଖରେ ଏବଂ ଅଯୁଗ୍ମ ନମ୍ବର ଲାଇସେନ୍ସଧାରି ଗାଡି ଅଯୁଗ୍ମ ତାରିଖରେ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବଢୁଥିବା ପ୍ରଦୂଷଣକୁ ନେଇ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି । ପ୍ରଦୂଷଣ ବଢୁଥିବାରୁ ଦିଲ୍ଲୀରେ ପଂଚମ ଶ୍ରେଣୀ ଯାଏ କ୍ଲାସ ବନ୍ଦ କରିବାକୁ ସରକାର ନିଷ୍ପତି ନେଇଥିଲେ । ସୋମବାର ଏକାଦଶ ଶ୍ରେଶୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ କରିବାକୁ କେଜରିୱାଲ ସରକାର ନିଷ୍ପତି ନେଇଛନ୍ତି । ଆସନ୍ତା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଦଶମ, ଦ୍ୱାଦଶ ଶ୍ରେଣୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ କ୍ଳାସ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।