ନିଟ୍ ପରୀକ୍ଷାଫଳ ବିବାଦ, ରଦ୍ଦ ହେଲା ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ

ନୂଆଦିଲ୍ଲୀ,୧୩/୦୬: ନିଟ୍ ପରୀକ୍ଷାଫଳରେ ଅନିୟମିତତା ଅଭିଯୋଗ ନେଇ ଛାତ୍ରଛାତ୍ରୀ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଯାହାର ଶୁଣାଣି କରି ଆଜି ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ସମୟରେ ଏନଟିଏ ସ୍ପଷ୍ଟ କରିଛି ଯେ, ଯେଉଁ ୧୫୬୩ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ମିଳିଥିଲା ତାହାକୁ ରଦ୍ଦ କରାଯିବ । ଏହାସହ ସେମାନଙ୍କ ପାଇଁ ପୁଣିଥରେ ପରୀକ୍ଷା ଆୟୋଜିତ କରାଯିବ । ଛାତ୍ରଛାତ୍ରୀଙ୍କୁ ଏନଟିଏ ଦୁଇଟି ବିକଳ୍ପ ଦେଇଛି, ପୁଣିଥରେ ନିଟ୍ ପରୀକ୍ଷା ଦିଅନ୍ତୁ ନଚେତ ଗ୍ରେସ ମାର୍କ ବିନା ନିଟ୍ ୟୁଜି କାଉନସିଲିଂରେ ସାମିଲ ହୁଅନ୍ତୁ । ଆସନ୍ତା ୨୩ ଜୁନରେ ୧୫୬୩ ଜଣ ଛାତ୍ରଛାତ୍ରୀ ପୁଣିଥରେ ନିଟ୍ ପରୀକ୍ଷା ଦେବା ପରେ କାଉନସିଲିଂରେ ବସିବେ । ଜୁନ୍ ୩୦ ସୁଦ୍ଧା ଏନଟିଏ ନିଟ୍ ପରୀକ୍ଷା ଫଳ ପ୍ରକାଶ କରିବ । ଚଳିତଥର ନିଟ୍ ପରୀକ୍ଷାରେ ୬୭ ଜଣ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି । ହରିୟାଣାର ଏକ ସେଣ୍ଟରରୁ ୬ ଜଣ ୭୨୦ ନମ୍ବର ରଖିଥିଲେ । ଯାହାକୁ ନେଇ ସନ୍ଦେହ ଉପୁଜିଥିଲା ଏବଂ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।