ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ସଂସଦରେ ହୋହଲ୍ଲା, ଆସନ୍ତା ୧ ଯାଏଁ ଗୃହ ମୁଲତବୀ

ନୂଆଦିଲ୍ଲୀ,୨୮/୦୬: ନିଟ୍ ପ୍ରଶ୍ନପତ୍ର ଲିକ ମାମଲାରେ ସଂସଦର ଉଭୟ ଗୃହରେ ଆଜି ହଙ୍ଗାମା କରିଛନ୍ତି ବିରୋଧୀ। ଫଳରେ ଗୃହକାର୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା। ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହକୁୁ ଜୁଲାଇ ୧ ତାରିଖ ଯାଏ ମୁଲତବୀ ରଖିଛନ୍ତି। ସେପଟେ ରାଜ୍ୟ ସଭାରେ ବି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଅନ୍ୟ ବିରୋଧୀ ସଦସ୍ୟଙ୍କ ସହିତ ମିଶି ଅନୁରୂପ ଦାବି କରିଥିଲେ। ନିଟ୍ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଏହା ଭିତରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭଯୋଗ କରିଥିଲେ ଯେ ନିଟ୍ ପ୍ରସଙ୍ଗ ଉଠାଇବା ମାତ୍ରକେ ତାଙ୍କ ମାଇକକୁ ବନ୍ଦ କରାଯାଉଛି । ଏହାର ଜବାବ ରଖିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା ।ଅନ୍ୟପଟେ ପରୀକ୍ଷାରେ ସ୍ବଚ୍ଛତା ଏବଂ ଏନଟିଏରେ ସଂସ୍କାର ଆଣିବା ପାଇଁ ଗଠନ ହୋଇଥିବା କମିଟି କାର୍ୟ୍ୟ ଆରମ୍ଭ କରିଛି। ସଂସ୍କାର କମିଟି ଏଣିକି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ ଆଲୋଚନା କରି ପରାମର୍ଶ ନେବା ସହ ସ୍ବଚ୍ଛ ପରୀକ୍ଷା ପାଇଁ ପ୍ରସ୍ତୁତି କରିବ । ଆସନ୍ତା ଜୁଲାଇ ୭ ତାରିଖ ପର୍ୟ୍ୟନ୍ତ ଫିଡବ୍ୟାକ ଦେବା ପାଇଁ ଶେଷ ତାରିଖ ଧାର୍ୟ୍ୟ କରାଯାଇଛି।