ନାଜାଲ ଭ୍ୟାକ୍ସିନକୁ ଡିଜିସିଆଇର ମିଳିଲା ଅନୁମତି

ନୂଆଦିଲ୍ଲୀ,୬/୯:  ଦେଶ ଓ ରାଜ୍ୟରେ ଏବେ ଆୟତରେ ଅଛି କରୋନା। ତଥାପି ବିପଦ ଟଳିନି। ତେଣୁ ଟୀକାକରଣ ପ୍ରକ୍ରିୟା କୁ ଜାରି ରଖାଯାଇଛି । କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇ ଭିତରେ ପୁଣି ଏକ ଖୁସି ଖବର ଆସିଛି । ଦେଶରେ ପ୍ରଥମଥର ପାଇଁ ନାଜାଲ ଭ୍ୟାକ୍ସିନକୁ ଡିଜିସିଆଇ ଅନୁମତି ପ୍ରଦାନ କରିଛନ୍ତି । ଏହି ଟିକାକୁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମନ୍ତ୍ରୀ ମନସୁଖ ମଣ୍ଡାଭିଆ କହିଛନ୍ତି କି ଏହା କରୋନା ବିରୋଧୀ ଲଢେଇରେ ବିଗ୍ ବୁଷ୍ଟ ଭଳି କାମ କରିବ ।

ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏକ ଟ୍ୱିଟ୍ କରି ଲେଖିଛନ୍ତି କି, ଏହି ଭ୍ୟାକ୍ସିନ କୋଭିଡ ମହାମାରୀ ବିରୋଧୀ ସାମୁହିକ ଲଢେଇକୁ ମଜବୁତ କରିବ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ ମହାମାରୀ ବିରୋଧୀ ଲଢେଇରେ ଆମର ବିଜ୍ଞାନ, ଅନୁସନ୍ଧାନ ଏବଂ ବିକାଶ ଓ ମାନବ ସଂସାଧନକୁ ଯେଭଳି ଭାବେ ଉପଯୋଗ କରିଛନ୍ତି ତାହାକୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି ।