ନୂଆଦିଲ୍ଲୀ,୨୧/୧୨:୪୩ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତ କରିଛନ୍ତି। କୁଏତରେ ‘ହାଲା ମୋଦି’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁଏତରେ ‘ହାଲା’ ଅର୍ଥ ହେଉଛି ସ୍ୱାଗତ। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଶେଖ୍ ସାଦ୍ ଅଲ୍ ଅବଦୁଲ୍ଲା ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକତ୍ରିତ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆପଣମାନେ ଭାରତର ବିଭିନ୍ନ ରାଜ୍ୟରୁ ଆସିଛନ୍ତି। ହେଲେ ଏଠାରେ ଆପଣମାନଙ୍କୁ ଏକାଠି ଦେଖି ଏକ ‘ମିନି ହିନ୍ଦୁସ୍ତାନ’ ମୋ ଆଗରେ ଥିଲାଭଳି ମୋତେ ଅନୁଭବ ହେଉଛି।ଏହି କାର୍ଯ୍ୟକ୍ରମରେ ଭାରତ ଓ କୁଏତ ମଧ୍ୟରେ ଥିବା ଗଭୀର ସମ୍ପର୍କର ଇତିହାସକୁ ବର୍ଣ୍ଣନା କରି ମୋଦି କହିଛନ୍ତି ଯେ ଊନବିଂଶ ଶତାବ୍ଦୀରେ ମଧ୍ୟ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ରହିଥିଲା।