ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ୩ କୋଟିରୁ ଅଧିକ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ,୮/୪: ଗରିବମାନଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ୩ କୋଟିରୁ ଅଧିକ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଏହା ଆଜି ଘୋଷଣା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଉକ୍ତ ଘର ସବୁ ‘ମହିଳା ସଶକ୍ତିକରଣର ସଙ୍କେତ’ ପାଲଟିଛି। ଏହାସହ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ପ୍ରତ୍ୟେକ ଗରିବଙ୍କୁ ପକ୍କାଘର ଯୋଗାଇ ଦେବା ନିମନ୍ତେ କରିଥିବା ସଙ୍କଳ୍ପରେ ଆମେ ଗୁରୁତ୍ବପୂର୍ଣ୍ଣ ସୋପାନ ଅତିକ୍ରମ କରିଛୁ। କେବଳ ଜନସାଧାରଣଙ୍କ ଭାଗୀଦାରୀରେ ୩ କୋଟିରୁ ଅଧିକ ଘର ତୋଳିବା ସମ୍ଭବ ପର ହୋଇପାରିଛି। ମୌଳିକ ସୁବିଧା ଥିବା ଏହି ଘର ସବୁ ଆଜି ମହିଳା ସଶକ୍ତିକରଣର ସଙ୍କେତ ପାଲଟି ‌ଯାଇଛି। ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨.୫୨ କୋଟି ପକ୍କାଘର ନିର୍ମାଣ ସମ୍ପନ୍ନ ହୋଇଛି। ଏଥିପାଇଁ ୧.୯୫ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ନଗରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏ ପର୍ଯ୍ୟନ୍ତ ପ୍ରାୟ ୫୮ ଲକ୍ଷ ପକ୍କାଘର ନିର୍ମାଣ ଶେଷ ହୋଇଛି। ଏହି ଉଦ୍ଦେଶ୍ୟରେ ୧.୧୮ ଲକ୍ଷ କୋଟି ଟଙ୍କା ମଞ୍ଜୁର ହୋଇଥିଲା।