ବ୍ରହ୍ମପୁର ସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଏଥର ସରକାର ଗଢ଼ିବ ବିଜେପି

ଭୁବନେଶ୍ୱର,୬/୦୫: ଆଜି ବ୍ରହ୍ମପୁରରେ ଆରମ୍ଭରୁ ବିଜେଡି ଉପରେ ବର୍ଷିଥିଲେ ମୋଦୀ । ସିଧାସଳଖ ରାଜ୍ୟ ସରକାରକୁ ତୀର ମାରିବା ସହ କହିଥିଲେ, ୪ ଜୁନରେ ଓଡ଼ିଶାରେ ବିଜେଡି ସରକାରର ଏକ୍ସପାଏରୀ ତାରିଖ ଲେଖାଯାଇଛି । ଜୁନ୍ ୪ରେ ପ୍ରକାଶ ପାଇଁ ନିର୍ବାଚନ ରେଜଲ୍ଟ । ହେଲେ ଏହାର ଯଥେଷ୍ଟ ପୂର୍ବରୁ ଓଡିଶାରେ ବିଜେପି ସରକାର ଗଢିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ । ଏମିତି ଆସନ୍ତା ଜୁନ୍ ୧୦ ତାରିଖରେ ଓଡିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ମଧ୍ୟ କହିଛନ୍ତି ମୋଦୀ । ତେଣୁ ସେହି ଶପଥ ସମାରୋହରେ ସାମିଲ ହେବାକୁ ସମସ୍ତଙ୍କୁ ନିମନ୍ତ୍ରଣ ଦେବାକୁ ଆସିଛି । ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ନିସ୍ତେଜ ହୋଇ ପଡିଛି, ଲୋକେ ବିଜେପିକୁ ନେଇ ଆଶ୍ୱସ୍ତ ଅଛନ୍ତି । ବିଜେପି ଆଶାର ନୂଆ କିରଣ ସାଜି ଉଭା ହୋଇଛି । ଓଡ଼ିଶା ପାଖରେ ପ୍ରଚୁର ଜଳ, ଖଣିଜ ସମ୍ପଦ, ଲମ୍ବା ସମୁଦ୍ର ତଟ ରହିଛି, ବ୍ରହ୍ମପୁର ଭଳି ଟ୍ରେଡ ସେଣ୍ଟର ରହିଛି । ଭଗବାନ ଓଡ଼ିଶାକୁ ବହୁତ କିଛି ଦେଇଛନ୍ତି । କିନ୍ତୁ ଏତେ ସମ୍ପଦ ଥିବା ଓଡ଼ିଶାର ଜନତା କାହିଁକି ଗରିବ ବୋଲି ପ୍ରଶ୍ନ କରିବା ସହିତ ଓଡ଼ିଶା ଧନୀ, କିନ୍ତୁ ଜନତା ଗରିବ ବୋଲି କହିଛନ୍ତି ମୋଦୀ । ଅନ୍ୟପଟେ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ସରକାର ୧୦ ବର୍ଷରେ ସାଢେ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଓଡ଼ିଶାକୁ ଦେଇଛି । ଖାଲି ଟଙ୍କା ପଠାଇଲେ କାମ ହେବନି, ଅର୍ଥ ଖର୍ଚ୍ଚ କରିବାକୁ ଭଲ ସରକାର ଦରକାର । ଦିଲ୍ଲୀରୁ ଟଙ୍କା ଆସୁଛି, ଯୋଜନା ପ୍ରସ୍ତୁତ ହେଉଛି କିନ୍ତୁ ବିଜେଡି ସରକାର ଏଠାରେ ଏହାକୁ ଲାଗୁ କରୁନି ନଚେତ କେନ୍ଦ୍ର ଯୋଜନାରେ ଷ୍ଟିକର ମାରି ନିଜର ବୋଲି କହୁଛି ।