ମନ୍‌ କୀ ବାତ୍‌ ଗୋଟାଏ କାର୍ଯ୍ୟକ୍ରମ ନୁହେଁ, ମୋ ପାଇଁ ବିଶ୍ବାସ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ‘ମନ୍‌ କୀ ବାତ୍‌’ ହେଉଛି ଦେବତୁଲ୍ୟ ଜନତା ଜନାର୍ଦ୍ଦନଙ୍କ ପାଦତଳେ ଥାଳିଏ ପ୍ରସାଦ ପରି ବୋଲି ଆଜି ଏହାର ୧୦୦ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି। ମୋ ପାଇଁ ‘ମନ୍‌ କୀ ବାତ୍‌’ ଗୋଟାଏ କାର୍ଯ୍ୟକ୍ରମ ନୁହେଁ, ମୋ ପାଇଁ ଏହା ଗୋଟାଏ ବିଶ୍ବାସ, ଉପାସନା ଓ ଉପବାସ। ‘

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ କହିଲେ,  ‘ମନ୍‌ କୀ ବାତ୍‌’ ଆରମ୍ଭ ହେବାଠାରୁ ଏତେ ବର୍ଷ ବିତି ଗଲାଣି ବୋଲି ମୋର ବିଶ୍ବାସ ହେଉନାହିଁ। ଏହାର ପ୍ରତି ସଂସ୍କରଣର ସ୍ବତନ୍ତ୍ରତା ରହିଛି। ସକାରାତ୍ମକତା ପ୍ରସାରଣ ଏବଂ ସମାଜର ମୂଳସ୍ତରରେ ପରିବର୍ତ୍ତନକାରୀଙ୍କୁ ସ୍ବୀକୃତି ଦେବାରେ ଏହା ଗୋଟାଏ ଚମତ୍କାର ପ୍ଲାଟ୍‌ଫର୍ମ।  ପ୍ରକୃତରେ, ‘ମନ୍‌ କୀ ବାତ୍‌’ର ଶ୍ରୋତାଗଣ ଆମ ଦେଶବାସୀ, ଆପଣମାନେ ସମସ୍ତେ ଅଭିନନ୍ଦନର ପାତ୍ର ବୋଲି ମୁଁ ଆନ୍ତରିକତାର ସହିତ କହୁଛି।

‘ମନ୍‌ କୀ ବାତ୍‌’ ହେଉଛି କୋଟି କୋଟି ଭାରତୀୟଙ୍କ ‘ହୃଦୟର କଥା’, ଏହା ସେମାନଙ୍କର ଅନୁଭୂତିର ପରିପ୍ରକାଶ।  ଏହା ହେଉଛି ମୋ ମଧ୍ୟରୁ ଆମ୍ଭମାନଙ୍କ ମଧ୍ୟକୁ ଗୋଟାଏ ଯାତ୍ରା। ଏଥି‌ରେ ଆମେ ଉଲ୍ଲେଖ କରିଥିବା ବ୍ୟକ୍ତିମାନେ ହେଲେ ଆମ୍ଭମାନଙ୍କର ନାୟକ ଯେଉଁମାନେ ଏ କାର୍ଯ୍ୟକ୍ରମକୁ ଜୀବନ୍ୟାସ ଦେଇଛନ୍ତି। ଭାରତର ଜନସାଧାରଣଙ୍କ ସହିତ ଯୋଗସୂତ୍ର ରକ୍ଷା କରିବାକୁ ଏହା ମତେ ପ୍ଲାଟ୍‌ଫର୍ମ ଦେଇଛି।