ଭୁବନେଶ୍ୱର,୧୮/୦୧: ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ପୁଣି ଥରେ ସୃଷ୍ଟିହେଲାଣି ବିବାଦ । ଏହାରି ଭିତରେ ହତ୍ୟାକାଣ୍ଡକୁ ୨ ବର୍ଷ ପୂରିବାକୁ ବସିଲାଣି । ଏହି ମାମଲାରେ ଗୋପାଳ ଦାସଙ୍କୁ ଗିରଫ କରିଛି ପୋଲିସ । ହେଲେ ଏବେ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବ୍ରୋଟାରୀ ରିପୋର୍ଟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଏହି ଘଟଣା ସମୟରେ କେବଳ ଗୋପାଳ ଦାସର ବନ୍ଧୁକରୁ ନୁହେଁ ବରଂ ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା କଥା ରିପୋର୍ଟରେ ସ୍ପଷ୍ଟ ହୋଇଛି। ଯାହାକି ଏବେ ଘଟଣାକୁ ନେଇ ସସପେନ୍ସ ବଢ଼ାଇ ଦେଇଛି । ନବ ଦାସ ହତ୍ୟା ମାମଲାରେ ଗୋପାଳ ଦାସ ଗିରଫ ହୋଇଥିଲେ ବି ଆଜି ଯାଏଁ ସତ ସାମ୍ନାକୁ ଆସିପାରିନାହିଁ । ଗୋପାଳ କାହିଁକି ନବ ଦାସଙ୍କୁ ହତ୍ୟା କଲା ତାହା ଏବେ ବି ଅସ୍ପଷ୍ଟ? ପରିବାର ପକ୍ଷରୁ ବି ବାରମ୍ୱାର ସିବିଆଇ ତଦନ୍ତ ପାଇଁ ଦାବି କରିଆସୁଛନ୍ତି । ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ବିଫଳ ହେବା ପରେ କେବେ ସିବିଆଇକୁ ଏହି ମାମଲା ହସ୍ତାନ୍ତର କରାଯାଉଛି ତା ଉପରେ ଏବେ ସମସ୍ତଙ୍କ ନଜର ।
କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ରିପୋର୍ଟ ଅନୁସାରେ, ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କର ୨ଟି ଗାଡ଼ି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇଥିଲା । ପ୍ରଥମ ଗାଡ଼ିରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ ବସିଥିବା ବେଳେ ଦ୍ବିତୀୟ ଗାଡ଼ିରେ ତାଙ୍କର ସହଯୋଗୀମାନେ ବସିଥିଲେ। କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ୍ ଫର୍ମରେ ଗୋପାଳ ଦାସ ନିକଟରୁ ୧୮ଟି ଗୁଳି ସହ ଏକ ମାଗାଜିନ୍, ୩ଟି ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଥିବା ନେଇ ଦର୍ଶାଯାଇଥିବା ବେଳେ ଘଟଣାସ୍ଥଳରୁ ଏକ ଖୋକା ଓ ଏକ ଅବ୍ୟବହୃତ ଅକାମୀ ଗୁଳି ଜବତ କରାଯାଇଥିଲା ବୋଲି ଲେଖାଯାଇଛି। ଏହାସହିତ ଗୋଟିଏ ଗୁଳି ସେ ଆକାଶରେ ଫୁଟାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ଅର୍ଥାତ୍ ଗୋପାଳ ବନ୍ଧୁକରେ ଥିବା ୬ଟି ଗୁଳିରୁ ୩ଟି ଜୀବନ୍ତ ଅବସ୍ଥାରେ ଜବତ ହୋଇଥିବା ବେଳେ ବଳକା ୩ଟିରୁ ଗୋଟିଏ ନବ ଦାସଙ୍କ ଛାତିରେ , ଗୋଟିଏ ଅକାମୀ ଓ ଗୋଟିଏ ଆକାଶକୁ ମରାଯାଇଥିଲା । କିନ୍ତୁ ଏସ୍ଏଫ୍ଏସ୍ଏଲ୍ର ରିପୋର୍ଟରେ ଏକ ଭିନ୍ନ କଥା ଉଲ୍ଲେଖ ଅଛି ।