ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ବଡ଼ଦାଣ୍ଡରେ ଭକ୍ତଙ୍କ ସମାଗମ

ଭୁବନେଶ୍ୱର,୧୯/୦୬: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । ଅଣସର ଘରେ ସୁସ୍ଥ ହେବା ପରେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଭକ୍ତ । ୧୫ ଦିନର ବ୍ୟବଧାନ ପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ କାହିଁ କେତେ ଦୁରୁ ଭକ୍ତ ଧାଇଁ ଆସିଛନ୍ତି। ୮ଟାରୁ ୯ଟା ଯାଏଁ ପାରମାଣିକ ଟିକେଟଧାରୀ ଦର୍ଶନ କରିଛନ୍ତି । ଏଥର ପାରମାଣିକ ଦର୍ଶନ ପାଇଁ ଟିକେଟର ଦାମ୍ ୧୦୦ ଟଙ୍କା ରଖାଯାଇଛି । ସେହିପରି ୯ଟାରୁ ୧୧ଟା ୨ ଘଣ୍ଟା ଯାଏଁ ସର୍ବସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ସାଧାରଣ ଭକ୍ତମାନେ ସିଂହଦ୍ୱାର ଦେଇ ଯାଇ ଦର୍ଶନ କରିପାରିବେ । ସ୍ନାନପୂର୍ଣ୍ଣିମା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ରହିଥାନ୍ତି । ତେବେ ସୁସ୍ଥ ହେବା ପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହାକୁ ନବଯୌବନ ଦର୍ଶନ ବୋଲି କୁହାଯାଏ ।

ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ନବଯୌବନ ବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳେ । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଇନଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ୭୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।