ନୂଆଦିଲ୍ଲୀ,୨୯/୦୩: ମିଆଁମାର ଓ ଥାଇଲ୍ୟାଣ୍ଡରେ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ୭.୭ ଏବଂ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମିଆଁମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି । ମିଆଁମାରରେ ୬୯୪ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ଏହା ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି । ଭାରତରେ ମେଘାଳୟ, ମଣିପୁର, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି । ବାଂଲାଦେଶ, ଭିଏତ୍ନାମ ଏବଂ ଚୀନ୍ର ଦକ୍ଷିଣପଶ୍ଚିମ ୟୁନାନ୍ ପ୍ରଦେଶରେ ମଧ୍ୟ ଭୂକମ୍ପର ତୀବ୍ର ଝଟ୍କା ଅନୁଭୂତ ହୋଇଛି । ମିଆଁମାର ଓ ଥାଇଲ୍ୟାଣ୍ଡରେ ଭୂକମ୍ପଜନିତ ନିଖୋଜଙ୍କ ସଂଖ୍ୟା ୨ ଶହ ଅତିକ୍ରମ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ।