ବକ୍ସିଂରୁ ଅବସର ନେବା କଥା ଖଣ୍ଡନ କଲେ ମେରିକମ୍

ଭୁବନେଶ୍ୱର,୨୫/୦୧: କିମ୍ବଦନ୍ତୀ ବକ୍ସିଂ ଯୋଦ୍ଧା ମେରିକମ୍ ନିଜ ବୟସ ସୀମାକୁ ମୁଖ୍ୟ କାରଣ ଦର୍ଶାଇ ବକ୍ସିଂରୁ ଅବସର ନେବାକୁ ଘୋଷଣା କରିଥିବା ଖବର ସାମ୍ନାକୁ ଆସିଥିଲା। ୪୧ ବର୍ଷ ବୟସ ହୋଇଥିଲେ ମଧ୍ୟ ତାଙ୍କ ପାଖରେ ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାର ମନୋବଳ ରହିଛି ବୋଲି ସେ କହିଛନ୍ତି । କିନ୍ତୁ ସେ ଏହି ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ମୁ ଅବସର ନେଇନାହିଁ। ଏହା ମଧ୍ୟ କହିଛନ୍ତି ଯେ ମୋ କଥାକୁ ଭୁଲ ଢଙ୍ଗରେ ଉପସ୍ଥାପିତ କରାଯାଇଛି।

୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସରେ ୫୧ କେଜି ବର୍ଗରେ କାଂସ୍ୟ ପଦକ ଜିତି ମହିଳା ବକ୍ସିଂରେ ଅଲିମ୍ପିକ୍ସ ପଦକ ଜିତିବାରେ ପ୍ରଥମ ଭାରତୀୟ ବକ୍ସର ହୋଇଥିଲେ ମେରି କମ୍ । ଅଲିମ୍ପିକ୍ସରେ ପଦକ ଜିତିବା ପୂର୍ବରୁ ସେ ୫ ଥର ବିଶ୍ୱ ବିଜେତା ହୋଇ ସାରିଥିଲେ । ୬ ଥରର ବିଶ୍ୱ ବିଜେତା ମେରି କମ୍ ଶେଷ ଥର ପାଇଁ ସର୍ବୋଚ୍ଚ ସ୍ତରରେ ୨୦୨୧ରେ ପଦକ ଜିତିଥିଲେ । ଏସିଆନ୍ ଚାମ୍ପିୟନସିପରେ ରୌପ୍ୟ ପଦକ ସେ ଜିତିଥିଲେ । ମେରି ୮ଟି ବିଶ୍ୱ ଚାମ୍ପିୟନଶିପ୍ ପଦକ, ୭ଟି ଏସୀୟ ଚାମ୍ପିୟନଶିପ୍ ପଦକ, ୨ଟି ଏସୀୟ କ୍ରୀଡ଼ା ପଦକ ଏବଂ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।