ଆସନ୍ତା ୨ ଦିନ ମଧ୍ୟରେ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ!

ଭୁବନେଶ୍ବର,୧୬/୧୦ : ଆସନ୍ତା ୨ ଦିନ ମଧ୍ୟରେ ଓଡିଶାରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି। ତେବେ ଓଡ଼ିଶାରୁ ମୌସୁମୀ ଫେରିବା ଖବର ଲଘୁଚାପକୁ ଅଧିକ ଶକ୍ତିଶାଳୀ କରିବ ଓ ଘନୀଭୂତ ହେବାର ଆଶଙ୍କାକୁ ଦୃଢ଼ୀଭୂତ କରୁଛି।

ଏଥିସହ ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ବବର୍ତୀ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଆହୁରି ଅଧିକ ସକ୍ରିୟ ହେବ ବୋଲି ସୂଚନା ମିଳିଛି। ଆଇଏମ୍‌ଡିର ଆକଳନ ଅନୁଯାୟୀ, ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ମୁହାଁଇ ପଶ୍ଚିମ-କେନ୍ଦ୍ରୀୟ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୨୦ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ କେତେ ଘନୀଭୂତ ହେବ, କେଉଁ ଦିଗରେ ଗତି କରିବ ଓ କେତେ ଶକ୍ତିଶାଳୀ ହେବ ସେ ନେଇ ଆଇଏମ୍‌ଡି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।