ଖୁବ୍‌ଶୀଘ୍ର କେରଳ ପହଞ୍ଚିବ ମୌସୁମୀ

ଭୁବନେଶ୍ୱର,୨୦/୫: ରାଜ୍ୟରେ ଏବେ ତାପମାତ୍ରା ବଢ଼ିବାରେ ଲାଗିଛି । କିନ୍ତୁ ଆସନ୍ତା ୨ଦିନରେ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳ ତଥା ଦକ୍ଷିଣ ଆରବ ସାଗରର କିଛି କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ। ଫଳରେ କେରଳରେ ଖୁବ୍‌ଶୀଘ୍ର ମୌସୁମୀ ପହଞ୍ଚିବ। ଅନ୍ୟପଟେ ରାଜ୍ୟରେ ଏବେ କାଳବୈଶାଖୀଜନିତ ବର୍ଷା ଜାରି ରହିଛି। ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ୨୧ ତାରିଖ ଦିନ ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କୋରାପୁଟ, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ଝଡ଼ବର୍ଷା ନେଇ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ଗତକାଲି ୩ଟି ସହରର ତାତି ୪୦ ଅତିକ୍ରମ କରିଛି। ରାଜ୍ୟର ଉତ୍ତପ୍ତ ସହର ଭାବେ ବୌଦ୍ଧରେ ୪୨ ଡିଗ୍ରି ତାତି ଅନୁଭୂତ ହୋଇଥିବା ବେଳେ ମାଲକାନଗିରିରେ ୪୧ ଡିଗ୍ରି ଓ ସୁନ୍ଦରଗଡ଼ରେ ୪୦ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨ ଦିନରେ ତାପମାତ୍ରା ୨ରୁ ୪ଡିଗ୍ରି ଯାଏ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।