୩୦ଟି ଦେଶକୁ ବ୍ୟାପିଗଲାଣି ମଙ୍କିପକ୍ସ ଭୂତାଣୁ

ନୂଆଦିଲ୍ଲୀ,୨/୬: ବାହାର ଦେଶରେ ବଢ଼ିବାରେ ଲାଗିଛି ମଙ୍କିପକ୍ସ ରୋଗୀଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୩୦ଟି ଦେଶକୁ ବ୍ୟାପିଗଲାଣି ମଙ୍କିପକ୍ସ ଭୂତାଣୁ । ଭାରତରେ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ବି ସରକାର ସତର୍କ ଅଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।

ଏହି ରୋଗ ମଣିଷରୁ ମଣିଷକୁ ସଂକ୍ରମିତ ହେଉଛି । ମଙ୍କିପକ୍ସରେ ମୁଣ୍ଡ ବିନ୍ଧା ହେବା, ଗୋଳାବିନ୍ଧା ହେବା, ଦୁର୍ବଳ ଲାଗିବା ପରି ଲକ୍ଷଣ ଦେଖାଯାଉଛି । ଏହି ରୋଗ ହେଲେ ରୋଗୀକୁ ତୁରନ୍ତ ସଙ୍ଗରୋଧରେ ରହିବାକୁ ପଡ଼ିବ । ଏହାସହ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସାର ଆବଶ୍ୟକତା ରହିଛି । ରୋଗୀ ଯାହା ସଂସ୍ପର୍ଶରେ ଆସିବେ, ସେମାନଙ୍କୁ ମଧ୍ୟ ସଂଗରୋଧ କରିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ।

ମଙ୍କିପକ୍ସ ସଂକ୍ରମଣ ଆରମ୍ଭରେ ଜ୍ୱର ଆସିପାରେ । ଏହି ଜ୍ୱର ତିନି ଦିନ ପର୍ଯ୍ୟନ୍ତ ରହିପାରେ । ପୁଷ୍ଟିହୀନତା ଦେଖାଯାଉଥିବା ଅଞ୍ଚଳରେ ଏହି ରୋଗ ବ୍ୟାପିବାର ଆଶଙ୍କା ରହିଛି । ମଙ୍କି ପକ୍ସର କୌଣସି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଲେ, ଏନେଇ ତୁରନ୍ତ ରିପୋର୍ଟ କରିବାକୁ କୁହାଯାଇଛି । ଏନେଇ ତୁରନ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜଣାଇବାକୁ ହେବ ।