ମଙ୍କିପକ୍ସ ହେଲେ ୨୧ ଦିନ କ୍ୱାରେଣ୍ଟିନ

ନୂଆଦିଲ୍ଲୀ,୨୩/୫: କରୋନା ପ୍ରକୋପ ଥମି ନଥିବା ବେଳେ ସାରା ବିଶ୍ୱକୁ ଛାନିଆ କଲାଣି ମଙ୍କିପକ୍ସ ଭାଇରସ୍ । ଏଯାଏ ୧୪ ଦେଶରୁ ମଙ୍କିପକ୍ସ କେସ୍ ବାହାରିଲାଣି । ପ୍ରଥମ ଦେଶ ଭାବରେ ବେଲଜିୟମରେ ଲାଗୁ ହୋଇଛି ମଙ୍କିପକ୍ସ କ୍ୱାରେଣ୍ଟିନ୍ । ସେଠାରେ ମଙ୍କିପକ୍ସ ଆକ୍ରାନ୍ତଙ୍କୁ ୨୧ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ । ବେଲଜିୟମରେ ତିନି ଜଣ ମଙ୍କିପକ୍ସ ପଜିଟିଭ୍ ଚିହ୍ନଟ ହେବା ପରେ ତିନି ସପ୍ତାହ କ୍ୱାରେଣ୍ଟିନି ବାଧ୍ୟତାମୂଳକ କରାଯାଇଛି । ଗତ ଶୁକ୍ରବାର ପ୍ରଥମ କେସ୍ ବାହାରିଥିଲା । ବେଲଜିୟମର ପୋର୍ଟସିଟି ଆଣ୍ଟଓ୍ୱେର୍ପରେ ଏକ ଉତ୍ସବରେ ସମସ୍ତେ ସାମିଲ ହୋଇଥିଲେ । ଆଗକୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି ।

ପଶ୍ଚିମ ଓ କେନ୍ଦ୍ରୀୟ ଆଫ୍ରିକାରେ ଆରମ୍ଭ ହୋଇଥିଲା ମଙ୍କିପକ୍ସ । ଏବେ ୟୁରୋପର ବିଭିନ୍ନ ଦେଶରେ ମାଡ଼ିବାରେ ଲାଗିଛି । ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରୁ ବି ସଂକ୍ରମିତ ବାହାରିଛନ୍ତି । ବ୍ରିଟେନ, ପର୍ତ୍ତୁଗାଲ ଓ ସ୍ପେନରେ କେସ୍ ଅଧିକ ବଢୁଛି । ତେବେ ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସରେ କେହି ମୃତ୍ୟୁବରଣ କରି ନାହାନ୍ତି । ତେବେ ନୂଆ ଜାଗାକୁ ମାଡୁଥିବାରୁ ମୁକାବିଲା ଚିନ୍ତା ବଢ଼ିଛି ।