ବିଭିନ୍ନ ରାଷ୍ଟ୍ରରେ କାୟା ମେଲାଉଛି ମଙ୍କିପକ୍ସ, ଜାଣନ୍ତୁ ଏହି ଭୂତାଣୁ ସମ୍ପର୍କରେ

ନୂଆଦିଲ୍ଲୀ,୨୦/୫: କରୋନା ଚିନ୍ତା ନସରୁଣୁ ଏବେ ମଙ୍କିପକ୍ସ ଚିନ୍ତା ଘାରିଲାଣି । ବିଭିନ୍ନ ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କଲାଣି ମଙ୍କିପକ୍ସ ଭୂତାଣୁ । ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ରୋଗ କୟାବିସ୍ତାର କଲାଣି । ବ୍ରିଟେନ୍ ଓ ଆମେରିକା ପରେ ଫ୍ରାନ୍ସ, ଇଟାଲୀ, ସ୍ୱିଡେନ୍, କାନାଡା, ଅଷ୍ଟ୍ରେଲିଆ, ସ୍ପେନ୍ ଓ ପର୍ତୁଗାଲରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ୧୩ରୁ ଅଧିକ ମାମଲା କାନାଡାରୁ ଚିହ୍ନଟ ହୋଇଛି ।
ସୂଚନା ଯୋଗ୍ୟ ଯେ ବ୍ରିଟେନରେ ମଙ୍କିପକ୍ସର ପ୍ରଥମ ମାମଲା ମେ’ ୭ ତାରିଖରେ ଚିହ୍ନଟ ହୋଇଥିଲା । ମଙ୍କିପକ୍ସରେ ଆକ୍ରାନ୍ତ ଯୁବକ ଜଣଙ୍କ ନାଇଜେରିଆରୁ ଫେରିଥିଲେ । ହେଲେ ତାଙ୍କ ସହ ଯାତ୍ରା କରିଥିବା ଅନ୍ୟମାନଙ୍କ ପାଇଁ କୌଣସି ବିପଦ ନଥିବା କୁହାଯାଉଛି । ଏହା ପରଠାରୁ ଆଉ ୮ ଜଣ ସଂକ୍ରମିତ ହୋଇଥିବା ବ୍ରିଟେନ୍ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା ।