ରାଜଧାନୀରେ ଗଡିବ ବ୍ୟାଟେରୀ ଚାଳିତ ବସ

ଭୁବନେଶ୍ୱର,୬/୫ : ରାଜ୍ୟରେ ‘ମୋ ବସ’ ସେବାରେ ଖୁବଶୀଘ୍ର ବ୍ୟାଟେରୀ ଚାଳିତ ବା ଇ-ବସ୍ ସେବା ସାମିଲ କରାଯିବ । ଏଥିପାଇଁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟଙ୍କୁ ପରାମର୍ଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ୨୦୧୯ ମସିହାରୁ ପ୍ରତିବର୍ଷ ଦୈନିକ ଯାତ୍ରୀ ପରିବହନ ସଂଖ୍ୟା ବୃଦ୍ଧି ପାଇବା ସହ ରାଜସ୍ୱ ମଧ୍ୟ ବୃଦ୍ଧି ପାଇଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏବେ ଇ-ରିକ୍ସା ସେବା ମଧ୍ୟ ଆରମ୍ଭ ହୋଇଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୨୦୦ ଯାତ୍ରୀ ଅପେକ୍ଷା ପାଇଁ ଆଶ୍ରୟ ସ୍ଥଳୀ ନିର୍ମାଣ ହୋଇଛି । ଶ୍ରୀ ଜେନା ଆଜି ରାଜ୍ୟରେ ମୋ ବସ୍ ସେବାର ସମୀକ୍ଷା କରି କହିଛନ୍ତି ଯେ ରାଜଧାନୀରେ ‘ମୋ ବସ୍‌’ ସେବା ଏବେ ସାଧାରଣ ଲୋକଙ୍କ ପାଇଁ ଆରାମଦାୟକ ପରିବହନ ବ୍ୟବସ୍ଥା ହୋଇଛି। ଏହି ସବୁ ବସଗୁଡ଼ିକ ସୁବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି। ତେବେ ପରିବର୍ତ୍ତିତ ପରିସ୍ଥିତିରେ ଏଥିରେ ବ୍ୟାଟେରୀଚାଳିତ ବା ଇ-ବସ୍ ସାମିଲ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି।