ମିଶନ ଶକ୍ତି କର୍ମକର୍ତ୍ତାମାନଙ୍କର ଦେୟ ପରିମାଣରେ ବୃଦ୍ଧି

ଭୁବନେଶ୍ୱର,୧୧/୦୩: ମିଶନ ଶକ୍ତି କର୍ମକର୍ତ୍ତାମାନଙ୍କର ଦେୟ ପରିମାଣରେ ବୃଦ୍ଧି କରାଯାଇଛି । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ଦେୟ ୫୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଦେୟ ପରିମାଣ ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ ହେବ। ବ୍ଲକସ୍ତରୀୟ ଫେଡେରସନର ସଭାପତି ଓ ସଂପାଦକମାନେ ବୈଠକ ପାଇଁ ପୂର୍ବରୁ ୪୦୦୦ ଟଙ୍କା ପାଉଥିବା ବେଳେ ଏବେ ୪୫୦୦ ଟଙ୍କା ପାଇବେ। ସେହିପରି ଏହାର ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ପୂର୍ବରୁ ୨୦୦୦ ଟଙ୍କା ପାଉଥିବା ବେଳେ ଏବେ ୨୫୦୦ ଟଙ୍କା ପାଇବେ।

ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନର ସଭାପତି ଓ ସମ୍ପାଦକମାନେ ବୈଠକ ପାଇଁ ପୂର୍ବରୁ ୨୦୦୦ ଟଙ୍କା ପାଉଥିବାବେଳେ ଏବେ ୨୫୦୦ ଟଙ୍କା ପାଇବେ ଏବଂ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟାମାନେ ପୂର୍ବରୁ ୧୦୦୦ ଟଙ୍କା ପାଉଥିବା ବେଳେ ଏବେ ୧୫୦୦ ଟଙ୍କା ପାଇବେ। ଏହାଦ୍ୱାରା ବର୍ଷକୁ ୨୪୯.୨୧ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ ସମୁଦାୟ ୬୭୬ ଜଣ ବ୍ଲକସ୍ତରୀୟ ଫେଡେରସନ ସଭାପତି ଓ ସଂପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୩୦୪୨ । ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନରେ ୧୩,୫୮୮ ଜଣ ସଭାପତି ଓ ସମ୍ପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୧,୦୮,୭୦୪ । ଏହା ପରି ସମୁଦାୟ ୧,୨୬,୦୧୦ କର୍ମକର୍ତ୍ତା ଉପକୃତ ହେବେ।