ଆସନ୍ତା ଶନିବାରଠୁ ପୁଣିଥରେ ଆରମ୍ଭ ହେବ ମଧ୍ୟାହ୍ନଭୋଜନ ବ୍ୟବସ୍ଥା

ଭୁବନେଶ୍ୱର,୧/୪: କାଲିଠୁ ରାଜ୍ୟରେ ସକାଳୁଆ ସ୍କୁଲ୍‌ ଆରମ୍ଭ ହେବ । ଏନେଇ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏପଟେ ରାଜ୍ୟରେ କରୋନା ପାଇଁ ଗତ ଦୁଇବର୍ଷ ସ୍କୁଲରେ ମଧ୍ୟାହ୍ନଭୋଜନ ବନ୍ଦ ଥିଲା । ପିଲାଙ୍କୁ ଶୁଖିଲା ରାସନ୍‌ ଦିଆଯାଉଥିଲା । କିନ୍ତୁ ଆସନ୍ତା ଶନିବାରଠୁ ପୁଣିଥରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ହେବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନଭୋଜନ ଦିଆଯିବ । ଏହାପୂର୍ବରୁ ସ୍କୁଲ ଗୁଡ଼ିକରେ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚାଲିଛି । ରୋଷେଇ ଗୃହକୁ ସଫା କରାଯିବା ସହ ସମସ୍ତ ବାସନକୁସନକୁ ବ୍ୟବସ୍ଥିତ କରାଯାଇଛି । ପିଲାମାନେ ଖରାରେ କିଭଳି ସ୍କୁଲ ଆସିବେ ସେନେଇ ମଧ୍ୟ ପରାମର୍ଶ ଦିଆଯାଇଛି । ସ୍କୁଲରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ରହିବ । ପିଲାମାନେ ଘରଠୁ ସ୍କୁଲକୁ ଓ ସ୍କୁଲରୁ ଘରକୁ ଫେରିବାବେଳେ ଛତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।