ଏମ୍‌ଜିଏମ୍ ସ୍କୁଲ ଅଫ୍ ସ୍ପୋର୍ଟସ ପକ୍ଷରୁ କ୍ରିକେଟ ଇନ୍‌ଡୋର ହଲ୍ ଉଦ୍‌ଘାଟିତ

କଟକ,୧୯/୦୬ : କ୍ରିକେଟକୁ ରାଜ୍ୟରେ ସୁଦୂରପ୍ରସାରୀ କରିବା ଓ କ୍ରୀଡାପ୍ରେମୀଙ୍କୁ ଉନ୍ନତମାନର ଭିତ୍ତିଭୂମି ଯୋଗାଇବା ଉଦ୍ଦେଶ୍ୟରେ ଏମ୍‌ଜିଏମ୍ ସ୍କୁଲ୍ ଅଫ୍ ସ୍ପୋର୍ଟସ ପକ୍ଷରୁ ‘ସେଣ୍ଟର
ଅଫ୍ ଏକ୍‌ସିଲେନ୍ସ’ ପ୍ରତିଷ୍ଠା ପରେ ଏହାକୁ ଆହୁରି ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ୩.୫କୋଟି ବ୍ୟୟରେ ନିର୍ମିତ କ୍ରିକେଟ ଇନ୍‌ଡୋର ହଲ୍ ଉଦ୍‌ଘାଟିତ ହୋଇଯାଇଛି । ବୁଧବାର
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ପୂର୍ବତନ ବୋଲିଂ କୋଚ୍ ଭରତ ଅରୁଣ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏହି ଇନ୍‌ଡୋର ହଲ୍‌ଟି ବୁଧବାରଠାରୁ କ୍ରୀଡାବିତ୍‌ଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି ।

ଇନ୍‌ଡୋର ହଲ୍‌ର ପ୍ଲେଇଂ ସର୍‌ଫେସ୍‌ରଦୈର୍ଘ୍ୟ ୧୨୦ଫୁଟ ଓ ପ୍ରସ୍ଥ ୮୦ଫୁଟ ରହିଥିବା ବେଳେ ସେଣ୍ଟର ହାଇଟ୍ ୨୫ଫୁଟ
ରହିଛି । ୬ଲେନ୍ ବିଶିଷ୍ଟ ନେଟ୍ ପ୍ରାକ୍ଟିସ୍ ବକ୍ସ ନିର୍ମିତ ହୋଇଛି, ଯାହାକି ଇମ୍ପୋଟେଡ୍‌ ଟର୍ଫରେ ନିର୍ମିତ । ସେଥିମଧ୍ୟରୁ ୪ଲେନ୍ ବିଶିଷ୍ଟ ପେସର୍ସ ଓ ୨ଲେନ୍ ବିଶିଷ୍ଟ ସ୍ପିନରଙ୍କ ପାଇଁ
ଉଦ୍ଦିଷ୍ଟ । ଏତଦ୍‌ଭିନ୍ନ ଏକ ଉନ୍ନତମାନର ଜିମ୍‌ନାସିୟମ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଏକାଡେମୀ ପକ୍ଷରୁ ରହିବ୍ ସେଣ୍ଟର ମଧ୍ୟ ପରିଚାଳିତ ହେବ ବୋଲି ଏମ୍‌ଜିଏମ୍ ସ୍କୁଲ ଅଫ୍ ସ୍ପୋର୍ଟସର
ଅଧ୍ୟକ୍ଷ ତଥା ଓସିଏ ଉପ-ସଭାପତି ପଙ୍କଜ ଲୋଚନ ମହାନ୍ତି କହିଛନ୍ତି ।

ସେହିପରି କ୍ରୀଡାବିତ୍‌ଙ୍କ ସୁବିଧା ପାଇଁ ଷ୍ଟୋର ସେକ୍‌ସନ, ଅଭିଭାବକଙ୍କ ବସିବା ପାଇଁ ଲାଉଞ୍ଜ, କ୍ୟାଫେଟେରିଆ,
ଟିଟି ପ୍ଲେଇିଂ କୋର୍ଟର ସୁବିଧା ମଧ୍ୟ ଉପଲବ୍ଧ ରହିଛି । ମୋଟିଭେସ୍‌ନାଲ ହଲ୍‌, ଭିଡିଓ ଆନାଲିସିସ୍ ରୁମ୍‌, କୋଚ୍ ରୁମ୍ ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଯାଇଥିବା
ଏମ୍‌ଜିଏମ୍ ସ୍କୁଲ ଅଫ୍ ସ୍ପୋର୍ଟସର ଅଧ୍ୟକ୍ଷ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଏହା ଖେଳାଳିଙ୍କୁ ତାଙ୍କ ପ୍ରତିଭା ପ୍ରଦର୍ଶନ କ୍ଷେତ୍ରରେ ମଜଭୁତ ଭିତ୍ତିଭୂମି ଯୋଗାଇ ପାରିବ ବୋଲି ସେ ଦାବି
କରିଛନ୍ତି ।

ଏହି ଉଦ୍‌ଘାଟନୀ ଉତ୍ସବରେ ପୂର୍ବତନ ଭାରତୀୟ କ୍ରିକେଟର୍ ଭେଙ୍କଟପାଥୀ ରାଜୁ, ଟିମ୍ ଇଣ୍ଡିଆର ପୂର୍ବତନ ଫିଲ୍ଡିଂ କୋଚ୍‌୍ ଆର୍ ଶ୍ରୀଧର ଓ ଓଡ଼ିଶା କ୍ରିକେଟ ଆସୋସିଏସନର ସଂପାଦକ ସଂଜୟ ବେହେରା ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ,
ଏମ୍‌ଜିଏମ୍ ସ୍କୁଲ ଅଫ୍ ସ୍ପୋର୍ଟସ, ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଖ୍ୟାତ କ୍ରିକେଟ ଅନୁଷ୍ଠାନ ‘କୋଚିଂ ବିୟଣ୍ଡ’ର ବୈଷୟିକ ସହାୟତାରେ ପରିଚାଳିତ ।