ବିଶ୍ୱସ୍ତରୀୟ ବାଣିଜ୍ୟିକ ମେଳା, ୱାଇଲ୍ଡ ଲୋଟସ୍‌ ଫ୍ୟାଶନ ପକ୍ଷରୁ ଡିଜାଇନ୍ ପୋଷାକ ପ୍ରଦର୍ଶିତ

ଭୁବନେଶ୍ୱର,୧/୦୯:  ରାଜଧାନୀରେ ୟୁସିସିଆଇ ଦ୍ୱାରା ଆୟୋଜିତ ହୋଇଛି ତିନିଦିନିଆ ବିଶ୍ୱସ୍ତରୀୟ ବାଣିଜ୍ୟିକ ମେଳା ରିସର୍ଜେଣ୍ଟ ଓଡ଼ିଶା- ୨୦୨୪। ଏହି ମେଳାରେ ‘ୱାଇଲ୍ଡ ଲୋଟସ୍‌’ ଫ୍ୟାଶନ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର ପ୍ରଦର୍ଶନୀରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଉତ୍କୃଷ୍ଟମାନର ପୋଷାକ ସମାଗ୍ରୀର ପ୍ରଦର୍ଶନ କରାଯାଇଥିଲା । ଏମ୍‌ଜିଏମ୍ ଗ୍ରୁପ୍ ଦ୍ୱାରା ପରିଚାଳିତ ଏହି ପୋଷାକ ମାନୁଫ୍ୟାକ୍‌ଚରିଂ ୟୁନିଟ ଭୁବନେଶ୍ୱର ନିକଟସ୍ଥ ଛତାବର ଶିଳ୍ପାଞ୍ଚଳରେ ଅବସ୍ଥାପିତ । ଏହି ସଂସ୍ଥା ବିଶେଷକରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ତଥା ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ସଂକଳ୍ପବଦ୍ଧ। ଏପରି କିଛି କହିଛନ୍ତି ଏମ୍‌ଜିଏମ୍ ଗ୍ରୁପ୍ ଅଧ୍ୟକ୍ଷ ତଥା ଏହି ବିଶ୍ୱସ୍ତରୀୟ ବାଣିଜ୍ୟିକ ମେଳାର ସହ-ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ।

ଏହାସହ ଯୁଗ ସାଂଗେ ତାଳ ଦେଇ ଅତ୍ୟାଧୁନିକ ପ୍ରକ୍ରିୟାରେ ପୋଷାକ ତିଆରି କରିବା ସହ ବିଶ୍ୱସ୍ତରୀୟ ମାନ ନିର୍ଦ୍ଧାରଣ କରିବା ଦିଗରେ କମ୍ପାନୀ ସର୍ବଦା ଯତ୍ନବାନ ଥିବା ସେ କହିଛନ୍ତି । ଏଠାରେ ୧୬ ଶହରୁ ଊର୍ଦ୍ଧ୍ୱ କୁଶଳୀ ମହିଳା କାରିଗର ନିୟୋଜିତ ଥିବାବେଳେ ସଂପୂର୍ଣ୍ଣ ୟୁନିଟଟି ସୋଲାର ପାୱାର ଦ୍ୱାରା ପରିଚାଳିତ । ମୋଟ ୧୮ଶହରୁ ଊର୍ଦ୍ଧ୍ୱ ମାନବସମ୍ବଳ ନିୟୋଜିତରେ ପରିଚାଳିତ ଏହି ଗାର୍‌ମେଣ୍ଟ କମ୍ପାନୀର ନିଜସ୍ୱ ୧ ଲକ୍ଷ ୨୦ ହଜାର ବର୍ଗର ଫୁଟ୍ ପରିବ୍ୟାପ୍ତ ଭିତ୍ତିଭୂମି ରହିଛି ।

ସେହିପରି ସୁଦକ୍ଷ ଡିଜାଇନରଙ୍କ ଦ୍ୱାରା ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଆଧୁନିକ ଷ୍ଟାଇଲରେ କପଡା ଡିଜାଇନ୍ କରିବା ଦିଗରେ କମ୍ପାନୀ ପକ୍ଷରୁ ଉନ୍ନତ ଜ୍ଞାନକୌଶଳ ସଂପନ୍ନ ଡିଜାଇନରଙ୍କୁ ନିଯୁକ୍ତି ଦେବା ସହ ଏହା ଦେଶରେ ଏକ ଜଣାଶୁଣା ଗାରମେଣ୍ଟ ମାନୁଫ୍ୟାକ୍‌ଚରିଂ କମ୍ପାନୀ ଭାବେ ପରିଗଣିତ ହୋଇପାରିଛି । କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଡାକ୍ତରଖାନା, ଆମ୍ବୁଲାନ୍ସ ସେବା ଠାରୁ ଆରମ୍ଭ କରି ଉନ୍ନତ ପାନୀୟ ଜଳ ଓ କ୍ୟାଣ୍ଟିନ୍‌ର ସୁବିଧା ଉପଲବ୍ଧ ଥିବା ବୋଲି ପଙ୍କଜ ଲୋଚନ ମହାନ୍ତି କହିଛନ୍ତି । ଏହି ମାନୁଫ୍ୟାକ୍‌ଚରିଂ ୟୁନିଟର ୫୫ ପ୍ରତିଶତ ଗ୍ରୀନ୍ ଜୋନ୍ ଭାବେ ବ୍ୟବହୃତ ହେଉଥିବାବେଳେ ବର୍ଷା ଜଳ ସଂରକ୍ଷଣ ସୁବିଧା ମଧ୍ୟ ଉପଲବ୍ଧ ଥିବା ସେ ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏମ୍‌ଜିଏମ୍ ଗ୍ରୁପ୍ ଷ୍ଟିଲ୍ ମାନୁଫ୍ୟାକ୍‌ଚରିଂ, ବାୟୋ ଫୁଏଲ୍ , ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡା ଭିତ୍ତିଭୂମି ବିକାଶ ଦିଗରେ ରାଜ୍ୟର ଓ ପୂର୍ବ ଭାରତର ଏକ ଅଗ୍ରଣୀ ଅନୁଷ୍ଠାନ
ଭାବେ ପରିଗଣିତ ।

Leave a Reply

Your email address will not be published. Required fields are marked *