ଫେରିବ କି ଲକଡାଉନ,ଓମିକ୍ରନ ନେଇ ସବୁ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

ଭୁବନେଶ୍ୱର, ୨୩/୧୨: ଦେଶରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଓମିକ୍ରନ। ଏବେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭ ପହଞ୍ଚିଛି। ସେନେଇ କେନ୍ଦ୍ର ସରକାର, ସବୁ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି । ସଂକ୍ରମଣ ହାର, ଆକ୍ରାନ୍ତଙ୍କ ସଂଖ୍ୟା କେତେ ଦିନରେ ଦ୍ୱିଗୁଣିତ ହେଉଛି, ଏସବୁ ଉପରେ ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଅଧିକ ଜନ ସମାଗମ ଉପରେ ରୋକ୍ ଲଗାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହାସହ ବିବାହ ଓ ଅନ୍ତିମ ସଂସ୍କାରରେ କମ ଲୋକଙ୍କୁ ଅନୁମତି ଦେବାକୁ କହିଛନ୍ତି କେନ୍ଦ୍ର ସରକାର । କିପରି ସଂକ୍ରମଣକୁ ନିୟନ୍ତ୍ରଣରେ ରଖାଯିବ, ଏନେଇ ରାଜ୍ୟଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର । କରୋନା ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଟେଷ୍ଟିଂ, ଜିନୋମ ସିକ୍ୱେନ୍ସିଂ ବଢ଼ାଇବା ପାଇଁ କୁହାଯାଇଛି।ଏହାସହ ଆବଶ୍ୟକ ପଡିଲେ ନାଇଟ କର୍ଫ୍ୟୁ ଲଗାଇବା ସହ ଲାକଡ଼ାଉନ ହେବାର ଆଶଙ୍କା ରହିଛି।