ଦେଶର ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ “ପ୍ରୋଜେକ୍ଟ ଶିକ୍ଷା”

ଭୁବନେଶ୍ୱର, ୨୦/୨: କୋଭିଡ ମହାମାରୀ ସମୟରେ ଜୀବନ ଓ ଜୀବିକା ସମଗ୍ର ବିଶ୍ୱରେ ବିଶେଷ ପ୍ରଭାବିତ ହୋଇଥିବା ବେଳେ ଶିକ୍ଷାକ୍ଷେତ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ମହାମାରୀ ସମୟରେ ସଂକ୍ରମଣ କୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦେଶରେ ଲକଡାଉନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଯାହାଦ୍ୱାରା କି ସ୍କୁଲ ଓ କଲେଜରେ ପାଠ ପଢ଼ୁଥିବା ପିଲାମାନେ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯିବାର ସୁଯୋଗ ପାଇପାରୁନଥିଲେ। ତେବେ ଶିକ୍ଷାଦାନ ପ୍ରକ୍ରିୟାକୁ ଜାରି ରଖିବାକୁ ଯାଇ ଅନଲାଇନ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରାଯାଇଥିଲା। ଏହି ଅନଲାଇନ ଶିକ୍ଷାବ୍ୟବସ୍ଥା ଦେଶର ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେବାରେ ଅନେକ ବାଧା ଉପୁଜିଥିବା ଲକ୍ଷ କରାଯାଇଛି। ସମସ୍ତ ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ ଇଣ୍ଟରନେଟ ସେବା ଉପଲବ୍ଧ ନଥିବାରୁ ଅନେକ ଛାତ୍ରଛାତ୍ରୀ ଏହି ସେବାରୁ ବଞ୍ଚିତ ହୋଇଥିବାର ନଜର ରହିଛି।

ତେବେ ମହାମାରୀ ସମୟରେ ଓଡ଼ିଶାର ଗ୍ରାମାଞ୍ଚଳ ବିଦ୍ୟାଳୟରେ କିପରି କୋଭିଡ ନିୟମ ପାଳନ ପୂର୍ବକ ସ୍କୁଲ ଶିକ୍ଷାଦାନ ପ୍ରକ୍ରିୟା ଜାରି ରଖାଯାଇପାରିବ। ସେ ଦିଗରେ ଏକ ନୂଆ ପଦ୍ଧତି ହାତକୁ ନେଇଥିଲେ ଭୁବନେଶ୍ୱରର ୧୯ ବର୍ଷୀୟା ଯୁବତୀ ମାନ୍ୟ ଖେରିଆ । ପ୍ରୋଜେକ୍ଟ ଶିକ୍ଷା ମାଧ୍ୟମରେ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ଦିଗରେ ସେ ଏହି ଅଭିନବ ପଦକ୍ଷେପ ଗତ ଡିସେମ୍ବର ମାସରେ କାର୍ଯ୍ୟକାରୀ କରିଥିଲେ। ଜଗତସିଂହପୁର ଜିଲ୍ଲାର ନନ୍ଦିନୀବାଳା ବାଳିକା ଉଚ୍ଚ ବିଦ୍ୟାଳୟ ଓ ଉତ୍ସବାନନ୍ଦ ପ୍ରାଥମିକ ବିଦ୍ୟାଳୟରେ ଏହି ପ୍ରୋଜେକ୍ଟ ଶିକ୍ଷା ପଦ୍ଧତି କୁ କାର୍ଯ୍ୟକାରୀ କରାଯାଇଥିଲା। ସ୍କୁଲ ଅଗଣାକୁ ବ୍ୟବହାର କରି କିପରି ସାମାଜିକ ଦୂରତା ବଜାୟ ରଖି ଶିକ୍ଷାଦାନ କରାଯାଇପାରିବ ସେ ସମ୍ପର୍କରେ ସେ ସ୍କୁଲ କର୍ତ୍ତୃପକ୍ଷ ଙ୍କୁ ପରାମର୍ଶ ଦେଇ ତାହାକୁ କାର୍ଯ୍ୟକାରୀ କରାଇଥିଲେ। ଏଥିସହ ମାନ୍ୟ ନିଜ ଉଦ୍ୟମରେ କିଛି ଅର୍ଥ ଯୋଗାଡ଼ କରି ସ୍କୁଲ ପରିସରରେ ଥିବା ଶୌଚାଳୟକୁ ମରାମତି କରାଇଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀ ଙ୍କ ଉତ୍ତମ ଶିକ୍ଷାଲାଭ କରିବାର ଅଧିକାର ରହିଛି। ” ପ୍ରୋଜେକ୍ଟ ଶିକ୍ଷା” ମାଧ୍ୟମରେ ଦେଶର ସ୍କୁଲ ଗୁଡିକର ଶିକ୍ଷା ଭିତ୍ତିଭୂମିକୁ ସୃଦୃଢ଼ କରିବା ଦିଗରେ ସେ ବଦ୍ଧ ପରିକର ଥିବା ମାନ୍ୟା କହିଛନ୍ତି।

ଖ୍ୟାତି ସମ୍ପର୍ଣ୍ଣ ଜର୍ଜଟାଉନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ରତ କରୁଥିବା ମାନ୍ୟା ଖେରିଆ ଭବିଷ୍ୟତରେ ଜଣେ ଅର୍ଥନୈତିକ ନୀତି ନିର୍ମାତା ହେବାର ଲକ୍ଷ୍ୟ ରଖିଥିବା ବେଳେ ସମାଜରେ ଦେଖାଯାଇଥିବା ସାମାଜିକ-ଆର୍ଥିକ ଅର୍ଥ ଦୂର କରିବା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ମାନ୍ୟ ଏହି ପ୍ରୋଜେକ୍ଟ ଶିକ୍ଷା ପ୍ରକଳ୍ପ ପାଇଁ ପ୍ରାୟ ୨ଲକ୍ଷ ଟଙ୍କାର ଅର୍ଥ ରାଶି ଯୋଗାଡ଼ କରିଛନ୍ତି। ମାନ୍ୟାଙ୍କ ଏହି ଉଦ୍ୟମକୁ ଉଭୟ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ବେଶ ପ୍ରଶଂସା କରିଛନ୍ତି। ମାନ୍ୟାଙ୍କ ଏହି ପ୍ରକଳ୍ପ ଉତ୍ତମ ଶିକ୍ଷାଦାନ ପାଇଁ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିପାରିଥିବା ନନ୍ଦିନୀବାଳା ମହିଳା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କହିଥିବା ବେଳେ, ମାନ୍ୟାଙ୍କ ଶିକ୍ଷା କ୍ଷେତ୍ରରେ ଉର୍ଣ୍ଣତିକରଣ ପାଇଁ ଥିବା ପ୍ରତିବଦ୍ଧତା ଓ ଉତ୍ସାର୍ଗୀକୃତ ମନୋଭାବକୁ ପ୍ରଶଂସା କରିଛନ୍ତି।

ପ୍ରୋଜେକ୍ଟ ଶିକ୍ଷା ଅଧିକ ଅର୍ଥ ଯୋଗାଡ଼ କରି ଆଗାମୀ ଦିନରେ ଦେଶର ଗ୍ରାମାଞ୍ଚଳର ଅନେକ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାର ସୃଦୃଢ଼ୀକରଣ ଦିଗରେ କାର୍ଯ୍ୟ କରିବ ବୋଲି ମାନ୍ୟା ଖେରିଆ କହିଛନ୍ତି।