କଂଗ୍ରେସ ଦଳରୁ ନିଲମ୍ବିତ ହେଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ

ଭୁବନେଶ୍ୱର,୮/୦୯: ଆଜି କଂଗ୍ରେସ ଦଳରୁ ନିଲମ୍ବିତ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି ମନ୍ମଥଙ୍କୁ ନିଲମ୍ବନ କରିଛି । ଶୃଙ୍ଖଳା କମିଟି ପକ୍ଷରୁ କୁହାଯାଇଛି ଯେ ମନ୍ମଥ ଦଳର ସଦସ୍ୟ ଥାଇ ବି ନଥିବା ଭଳି ମନ୍ତବ୍ୟ ଦେଇଥିଲେ, ତାଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବା ସତ୍ତ୍ୱେ ସେ ଏହାର ଉତ୍ତର ନ ଦେଇଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି ।

ଅନ୍ୟପଟେ କଂଗ୍ରେସରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ । ମନ୍ମଥ କହିଛନ୍ତି, କଂଗ୍ରେସରେ ମୁଁ ସଦସ୍ୟ ନଥିଲି, ନିଲମ୍ବନ କଣ ହେବି? ମୁଁ ଚାକିରିରେ ଥିଲି, ତେଣୁ କଂଗ୍ରେସର ସଦସ୍ୟ ଆଦୌ ନଥିଲି । ଯଦି ବି କେହି ମୋ ନାଁ ପିସିସି ସଦସ୍ୟ ତାଲିକାରେ ଯୋଡିଥାନ୍ତି ତେବେ କମିଟି କିଭଳି ଏହାକୁ ଗ୍ରହଣ କଲା । କାରଣ ମୁଁ କଂଗ୍ରେସରେ ସାମିଲ ହେବା ନେଇ କୌଣସି ଅନୁମତି ଦେଇନାହିଁ । ପ୍ରଥମତଃ ମୁଁ କଂଗ୍ରେସ ଦଳରେ ନାହିଁ ତେଣୁ ମୋତେ କାରଣ ଦର୍ଶାଅ ନୋଟିସ ଜାରି କରି ଦଳର ଶୃଙ୍ଖଳା କମିଟି ଭୁଲ କରିଥିଲା ।