ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୫ଦିନିଆ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ,୨୮/୨: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୫ଦିନିଆ ରିମାଣ୍ଡରେ ନେଲା ସିବିଆଇ । ମାର୍ଚ୍ଚ ୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ଜେରା କରିବ ସିବିଆଇ । ଏନେଇ ଗତକାଲି ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟ ଶୁଣାଣି କରିଥିଲେ । ରବିବାର ସଂଧ୍ୟାରେ ଜେରା ପରେ ଦିଲ୍ଲା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ ।

ଅବକାରୀ ନୀତି ମାମଲାରେ ଅଧିକ ଜେରା ପାଇଁ ହାଜର ହୋଇଥିଲେ ମନୀଷ ସିସୋଦିଆ । ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଅବକାରୀ ନୀତି ମାମଲାରେ ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା ସିବିଆଇ । କିନ୍ତୁ ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ । ସିବିଆଇ ମଧ୍ୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଥିଲା । ଗତ ବର୍ଷ ଦିଲ୍ଲୀ ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ଉପରାଜ୍ୟପାଳ ।