ମକର ସଂକ୍ରାନ୍ତି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ

ଭୁବନେଶ୍ବର,୧୫/୦୧: ଆଜି ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ ପବିତ୍ର ମକର ସଂକ୍ରାନ୍ତି। ଏଥିଲାଗି ରାଜ୍ୟର ପ୍ରମୁଖ ଦେବାଳୟ ଚଳଚଞ୍ଚଳ ହୋଇ ଉଠିଛି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଆଜି ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତିରେ ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳଲାଗି କରାଯାଇ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ଏବଂ ଧନୁମୁଆଁ ଭୋଗ ଅର୍ପଣ କରାଯିବ। ଘଣ୍ଟ ଛତାର ପଟୁଆରରେ ମକରବେଢ଼ା ନୀତି ଅନୁଷ୍ଠିତ ହେବ। ମକରବେଶ ବା ମକରଚୌରାଶି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଚତୂର୍ଦ୍ଧାମୂର୍ତ୍ତି। ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଅଟ୍ରି ଉଷ୍ମପ୍ରସବଣର ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱର ମହାଦେବଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଠିକ୍ ସେହିପରି ଲିଙ୍ଗରାଜ ମନ୍ଦିର, ଧବଳେଶ୍ବର, ଆଖଣ୍ଡଳମଣି ଓ କପଳାସ ମନ୍ଦିର ସମେତ ଓଡ଼ିଶାର ପ୍ରମୁଖ ଶୈବପୀଠରେ ମଧ୍ୟ ଭକ୍ତଙ୍କ ଜନସମାଗମ ପରିଲକ୍ଷିତ ହୋଇଛି।