ଭୁବନେଶ୍ୱର,୨୬/୦୨ : ଆଜି ପବିତ୍ର ମହାଶିବରାତ୍ରି । ମହାଶିବରାତ୍ରୀ ପାଇଁ ସବୁଠି ଶିବମୟ। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଠାରୁ ଆରମ୍ଭ କରି ସଠିକ ସମୟରେ ସମସ୍ତ ନୀତି ସମ୍ପାଦନ ଓ ମହାଦୀପ ଉଠିବା ନେଇ ନୀତିନିର୍ଘଣ୍ଟ ଧାର୍ୟ୍ୟ ହୋଇଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସହମତି ହୋଇଛି । ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ବରଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଜମିଛି। କେତକୀ ଫୁଲରେ ସଜେଇ ହୋଇ ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ପୁରୀରେ ଶ୍ରୀଲୋକନାଥ, ବଲାଙ୍ଗୀରର ହରିଶଙ୍କର, ଢେଙ୍କାନାଳର କପିଳାସ, ଆରଡ଼ିର ଆଖଣ୍ଡଳମଣି, କୋରାପୁଟର ଗୁପ୍ତେଶ୍ବର ପୀଠ ସମେତ ରାଜ୍ୟର ସମସ୍ତ ଶୈବପୀଠରେ ମହାଶିବରାତ୍ରୀ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।
ସେପଟେ ଜାଗର ପାଇଁ ଶ୍ରୀ ଲିଙ୍ଗରାଜ ମନ୍ଦିର ରେ ଭକ୍ତଙ୍କ ପ୍ରବଳ ଭିଡ଼ । ମନ୍ଦିର ମୁଖ୍ୟ ଫାଟକ ଠାରୁ ଆରମ୍ଭ ହୋଇ ବଢେଇବାଙ୍କ ଛକ ପର୍ୟ୍ୟନ୍ତ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାଇ ଭୋର ୩ଟା ୩୦ରେ ପ୍ରଭୁ ଲିଙ୍ଗରାଜ ଙ୍କ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଛି । ସକାଳ ୩ ରୁ ୩.୩୦ ପର୍ୟ୍ୟନ୍ତ ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ଅନୁଷ୍ଠିତ ହୋଇଛି । ଆଜି ମହାଶିବରାତ୍ରି ପାଇଁ ଦିନ ୧୧ ଟା ପର୍ୟ୍ୟନ୍ତ ଭକ୍ତଙ୍କୁ ସାହାଣ ମେଲା ଦର୍ଶନ ଦେଉଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁ । ସକାଳୁ ମନ୍ଦିରରେ ପହଞ୍ଚି ସୁରକ୍ଷା ଦାୟିତ୍ଵ ର ତଦାରଖ କରିଛନ୍ତି ଦୁଇ ଡିସିପି ଜଗମୋହନ ମିନ୍ନା ଓ ପିନାକ ମିଶ୍ର । ସୁରକ୍ଷା ଦାୟିତ୍ବରେ ମୁତୟନ ଅଛନ୍ତି ୪୮ ପ୍ଲାଟୁନ ଫୋର୍ସ ।