ଆଜି ମହାଶିବରାତ୍ରି, ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ପରିବେଶ

ଭୁବନେଶ୍ୱର,୮/୦୩: ଆଜି ମହାଶିବରାତ୍ରି । ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଛି ଶିବାଳୟ ଓ ପରିବେଶ । ରାଜ୍ୟର ତିନି ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, ଲୋକନାଥ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ବାବାଙ୍କୁ ଦର୍ଶନ କରିବେ ଓ ଦୀପ ଜାଳିବେ ସେନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନିର୍ଦ୍ଧାରିତ ସମୟ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତିି ହୋଇଛି । ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କମିସନରେଟ୍ ପୋଲିସ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ୪ଟି ସିଫ୍ଟରେ ପୋଲିସ ସମ୍ପୂର୍ଣ୍ଣ ସ୍ଥାନ ଜଗିବେ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ୫ ଅତିରିକ୍ତ ଡିସିପି, ୧୪ ଏସିପି, ୨୧ଜଣ ଆଇଆଇସି, ୮୪ ଜଣ ଏସ୍ଆଇ ଓ ଏଏସଆଇ ଓ ୯୩ ସେକ୍ସନ୍ ଫୋର୍ସଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ।