ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର,୩/୦୮: ମହାନଦୀ ସିଷ୍ଟମରେ ଛୋଟଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । ଲଗାଣ ବର୍ଷା ଯୋଗୁଁ ରାଜ୍ୟର କିଛି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଥିବାବେଳେ ଏହାକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ଏସଆରସି । ଏଥିରେ ଜଳସମ୍ପଦ ଅଧିକାରୀଙ୍କ ସହ ଅନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଅଛନ୍ତି ।  ମୁଣ୍ଡଳୀରେ ୭ ଲକ୍ଷ ୯୮ ହଜାର ୫୯୯ କ୍ୟୁସେକ ପାଣି ପ୍ରବାହିତ ହେଉଥିବାବେଳେ ଜଳସ୍ତର ଅପ ଷ୍ଟ୍ରିମରେ ୯୨ ଫୁଟ ଓ ଡାଉନ ଷ୍ଟ୍ରିମରେ ୮୮ ଫୁଟ ରହିଛି । ମଧ୍ୟାହ୍ନ ସୁଦ୍ଧା ୮ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେବାକୁ ଥିବାବେଳେ ସନ୍ଧ୍ୟା ସୁଦ୍ଧା ୯ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେବ । ବିଶେଷ କରି ଆଜି ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବାକୁ ଥିବାବେଳେ ସମ୍ଭାବ୍ୟ ବନ୍ୟାକୁ ନେଇ ୭ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା । ତଳିଆ ଅଞ୍ଚଳଗୁଡିକରେ ଏନଡିଆରଏଫ ଓ ଓଡ୍ରାଫ ଟିମ ମୁତୟନ ଅଛନ୍ତି । ସେହିପରି ଦୁର୍ବଳ ନଦୀବନ୍ଧଗୁଡିକରେ ୨୪ ଘଣ୍ଟିଆ ପାଟ୍ରୋଲିଂ ନିର୍ଦ୍ଦେଶ ଦିଆଯାଇଛି ।