ଭୁବନେଶ୍ୱର,୧୨/୧୦: ଆଜି ମଣ୍ଡପରେ ମହାମାୟାଙ୍କ ମହା ନବମୀ। ଦୁର୍ଗତୀନାଶିନୀଙ୍କ ଆବାହନରେ ପ୍ରକମ୍ପିତ ହେଉଛି ପରିବେଶ। ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ଉଛୁଳି ପଡୁଛି ପରିବେଶ। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡୀପାଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ମହାନବମୀ ପୂଜା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଶକ୍ତିପୀଠରେ ଚାଲିଛି ମହାମାୟାଙ୍କ ଦଶମୀ ପୂଜା। ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଂଚଳ ସିଲଭର ସିଟି କଟକ। ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୁରା ସହର। କଟକ ସହରର ପ୍ରସିଦ୍ଧ ଦଶହରା ପୂଜା ଦେଖିବାକୁ ବିଭିନ୍ନ ସ୍ଥାନରୁ ଏଠି ଜମୁଛି ହଜାର ହଜାର ଲୋକଙ୍କ ଭିଡ଼। ଅଧିକ ସୁନ୍ଦର ହୋଇଛି ଏଲଇଡିରେ କାର୍ଟୁନ ଓ ମୂର୍ତ୍ତି। ଡ୍ରାଗନ୍, ପ୍ରଜାପତି, ମାଛ ଓ ହଂସ ଭଳି ବିଭିନ୍ନ ଲାଇଟ୍ କାର୍ଟୁନରେ ଚଳିତବର୍ଷ ଲାଇଟ୍ ଗେଟ୍ ତିଆରି କରିଛନ୍ତି ପୂଜା କମିଟି କର୍ମକର୍ତ୍ତା। ଚହଟା ଛକ, ଖାନନଗର, ରାଣୀହାଟ, କଲେଜ ଛକ, ଯୋବ୍ରା, ବଜ୍ରକବାଟି ଆଦି ସ୍ଥାନରେ ଆକର୍ଷଣୀୟ ଲାଇଟ ଗେଟ୍ ନିର୍ମାଣ ହୋଇଛି।