ଭୁବନେଶ୍ୱର,୦୪/୦୨: ଆଜିଠୁ ମାଘ ସପ୍ତମୀ ମେଳା । ଅର୍କକ୍ଷେତ୍ର କୋଣାର୍କକୁ ଛୁଟିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ। ସୁରକ୍ଷା ବ୍ୟବସ୍ଥାକୁ ପ୍ରଶାସନ କଡାକଡି କରିଥିବା ବେଳେ ମେଳା ପଡିଆ ଉପରେ ପୋଲିସର ତୀକ୍ଷଣ ନଜର ରହିଛି । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ବୁଡ ପକାଇବାକୁ ଭକ୍ତଙ୍କ ଭିଡ ଜମିଛି । ସମୟ ଯେତିକି ସରୁଛି, ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ ସେତିକି ବଢୁଛି । ମାଘମେଳାର ତିନି ଆରାଧ୍ୟ ଠାକୁର ତ୍ରିବେଣୀଶ୍ବର , ଐଶାନେଶ୍ବର ଓ ଦକ୍ଷିଣେଶ୍ବର ମହାଦେବଙ୍କ ଚଳନ୍ତି ପ୍ରତିମା ପ୍ରଥମେ ସ୍ନାନ କରିଛନ୍ତି। ପରେ ଚନ୍ଦ୍ର ତୀର୍ଥ ପୁଷ୍କରଣୀରେ ବୁଡ ପକାଉଛନ୍ତି ଲକ୍ଷାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ। ବିଶ୍ୱାସ ରହିଛି, ଏହି ତିଥିରେ ବୁଡ ପକାଇଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ। ସେପଟେ ଆଜିଠାରୁ ଆରମ୍ଭ ମାଘ ସପ୍ତମୀ । ଖଣ୍ଡଗିରିରେ ଶତାଧିକ ସାଧୁସନ୍ଥଙ୍କ ଭିଡ଼ ଜମିଲାଣି । କିଛି ସ୍ଥାନରେ ଆରମ୍ଭ ହୋଇଗଲାଣି ହୋମ ଯଜ୍ଞ। ସୂର୍ଯ୍ୟ ଉଦୟ ପରେ ସାଧୁ ସନ୍ଥ ମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସେଠାରୁ କଳସୀରେ ପବିତ୍ର ପାଣି ଆଣିବେ । ସେହି ପାଣିର କଳସ ବସିବା ପରେ ଆରମ୍ଭ ହେବ ପଞ୍ଚକୁଣ୍ଡ ହୋମ । ସେଥିପାଇଁ କଳସ ଯାତ୍ରା ମଧ୍ୟରାତ୍ରିରୁ ଆରମ୍ଭ ହୋଇଯାଇଛି । ଏଥର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜିତ ହୋଇଥିବା ବେଳେ ଖଣ୍ଡଗିରିରେ ମଧ୍ୟ ବଡ଼ ଧୁମଧାମରେ ମାଘ ସପ୍ତମୀର ଆୟୋଜନ କରାଯାଇଛି ।