ମା ସମଲେଇଙ୍କ ପାଖରେ ନିର୍ଦ୍ଧାରିତ ସମୟରେ ଲାଗି ହେଲା ନବାନ୍ନ

ଭୁବନେଶ୍ୱର,୮/୦୯: ଆଜି ନୂଆଁଖାଇ। ତେଣୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ପାଖରେ ନିର୍ଦ୍ଧାରିତ ସମୟ ସକାଳ ୯ଟା ୧୨ରୁ ୨୭ ମଧ୍ୟରେରେ ନବାନ୍ନ ଲାଗି ହୋଇଛି। ଏବେ ପାର୍ଶ୍ବ ଦେବାଦେବୀଙ୍କ ପାଖରେ ନବାନ୍ନ ଲାଗି କରାଯାଉଛି। ଏହି ସମୟରେ ଢୋଲ, ଘଣ୍ଟଘଣ୍ଟା ଧ୍ବନିରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର।ଏଥିଲାଗି ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଛି। ସେହିପରି ପାଟଣାଗଡ଼ରେ ମାଆ ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ସାରଂଗଡ଼ରେ ମାଆ ସମଲେଶ୍ବରୀ, ସୋନପୁରରେ ମାଆ ସୁରେଶ୍ବରୀଙ୍କ ଠାରେ ପୂର୍ବ ନିର୍ଧାରିତ ଲଗ୍ନ ଅନୁଯାୟୀ ନୂଆ ଚାଉଳରେ ପ୍ରସ୍ତୁତ ଭୋଗ ଲଗାଯାଉଛି। ସମସ୍ତ ସହର ଓ ଗାଁରେ ସେଠାକାର ଅଧିଷ୍ଠିତ ଦେବାଦେବୀଙ୍କୁ ପ୍ରଥମେ ନବାନ୍ନ ଭୋଗ ଲାଗି କରାଯାଉଛି। ଏହା ପରେ ପ୍ରତି ପରିବାରରେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ନୂଆ ଭୋଗ ଲଗାଇବେ। ଚାଷୀମାନେ ନିଜ କ୍ଷେତକୁ ଯାଇ ପୂଜା କରିବେ। ଏହାପରେ ପରିବାରର ସବୁ ସଦସ୍ୟ ଏକାଠି ବସି ନୂଆଁ ଅନ୍ନ ଖାଇବେ। ନୂଆଁଖାଇ ସରିବା ପରେ ନିଜଠୁ ବଡ଼ ଲୋକଙ୍କୁ ଜୁହାର୍‌ ଭେଟ୍‌ (ପ୍ରଣାମ) ହୋଇ ଆଶୀର୍ବାଦ ନେବାର ଏକ ସ୍ବତନ୍ତ୍ର ଓ ନିଆରା ପରମ୍ପରା ରହିଛି। ଏଥର ନୂଆଁଖାଇ ପରଦିନ ବି ସ୍କୁଲ୍‌, କଲେଜ୍‌, ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା ହୋଇଥିବାରୁ ବହୁ ଲୋକ ସେଦିନ ବୁଲାବୁଲି କରି ଉପଭୋଗ କରିବାକୁ ଯୋଜନା କରିଛନ୍ତି।

Leave a Reply

Your email address will not be published. Required fields are marked *