ଆସନ୍ତା ୧୯ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର,୧୫/୮: ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଅବପାତ ରୂପରେ ଉତ୍ତର-ଛତିଶଗଡ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ରହିଛି। ଗତ ୬ ଘଣ୍ଟା ମଧ୍ୟରେ ଅବପାତ ଘଣ୍ଟା ପ୍ରତି ୨୧ କିମି ବେଗରେ ଗତି କରି ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଅପରପକ୍ଷରେ ଆସନ୍ତା ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ପରିସ୍ଥିତିରେ ଆଭ୍ୟନ୍ତରୀଣ ଓଡିଶା ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧରେ ଅର୍ଥାତ୍‌ ୧୬ ତାରିଖ ସୁଦ୍ଧା ରାଜ୍ୟର ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ଓ ଝାରସୁଗୁଡ଼ା ପ୍ରଭୃତି ୫ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।