ପ୍ରେମିକାକୁ ୩୫ ଖଣ୍ଡ କରି କାଟିଲା ପ୍ରେମିକ

ନୂଆଦିଲ୍ଲୀ,୧୪/୧୧:ଲିଭ୍-ଇନ୍‌ରେ ରହୁଥିବା ପ୍ରେମିକାକୁ ୩୫ ଖଣ୍ଡ କରି କାଟି ଏହାକୁ ଫ୍ରିଜ୍‌ରେ ରଖି, ପରେ ଜଙ୍ଗଲର ବିଭିନ୍ନ ସ୍ଥାନରେ ଫିଙ୍ଗିଲା ପ୍ରେମିକ। ଦିଲ୍ଲୀରେ ଜଣେ ଯୁବକଙ୍କ ଏଭଳି ବର୍ବରକାଣ୍ଡକୁ ନେଇ ସାରା ଦେଶରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଯୁବକ ଜଣକ କାହିଁକି ଏଭଳି ଅମାନବୀୟ କାଣ୍ଡ ଘଟାଇଲେ ଓ ଏହା ପଛର କାରଣ କ’ଣ ତାହା ସାମ୍ନାକୁ ଆସିଛି। ପ୍ରେମିକାକୁ ହତ୍ୟା କରିଥିବା ଯୁବକଙ୍କ ନାଁ ଅଫତାବ ଅମିନ ପୁନାଓ୍ୱାଲା(୨୮) ଓ ମୃତ ଯୁବତୀଙ୍କ ନାଁ ଶ୍ରଦ୍ଧା(୨୬)।

ସୂଚନା ଅନୁସାରେ, ଗତ ମେ’ ୧୮ ତାରିଖରେ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା। ମୃତଦେହ ରଖିବା ପାଇଁ ସେ ୩୦୦ ଲିଟରର ଏକ ନୂଆ ଫ୍ରିଜ୍‌ କିଣିଥିଲା। ହତ୍ୟା ପରେ ଅଫତାବ, ଶ୍ରଦ୍ଧାଙ୍କ ଶରୀରକୁ ୩୫ ଖଣ୍ଡ କରି ଏହାକୁ ଫ୍ରିଜ୍‌ରେ ରଖିଥିଲେ। ଦୁର୍ଗନ୍ଧ ଯେପରି ନବାହାରେ ଓ କେହି ଯେମିତି ଜାଣି ନପାରନ୍ତି ଏଥିପାଇଁ ସେ ଘରେ ସୁଗନ୍ଧ ଧୂପକାଠି ଜଳାଉଥିଲା। ଖାଲି ଏତିକି ନୁହେଁ ମୃତଦେହ ଫିଙ୍ଗିବାକୁ ୧୮ ଦିନ ପର୍ଯ୍ୟନ୍ତ ରାତି ୨ଟାରେ ବାହାରକୁ ଯାଉଥିଲା ଓ ମେହରଉଲି ଜଙ୍ଗଲର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା। ଆମେରିକାରେ ପ୍ରସାରିତ ହେଉଥିବା କ୍ରାଇମ୍‌ ଶୋ’ ‘Dexter’ ଦେଖି ଅଫତାବ ଏଭଳି ବର୍ବରକାଣ୍ଡ ଘଟାଇଥିବା ତଦନ୍ତରୁ ଜଣାପଡ଼ିଛି।