ଭୋଟ୍ ଦେଉଛି ଭାରତ, ୧୦୨ ଆସନରେ ୧୬୨୫ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮/୦୪: ଦେଶରେ ଆଜିଠୁ ଭୋଟିଂ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୋଟ୍ ୧୦୨ଟି ଆସନରେ ମତଦାନ ଆରମ୍ଭ ହୋଇଛି । ଏଥିସହ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ତେବେ ପ୍ରଥମ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୮୭ ହଜାର ପୋଲିଂ କେନ୍ଦ୍ରରେ ମତଦାନ ହେବାକୁ ଥିବା ବେଳେ ୧୬ କୋଟି ୫୩ କୋଟି ଲୋକ ମତଦାନ କରିବେ । ଏଥିପାଇଁ ୧୮ ଲକ୍ଷ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ପୋଲିଂ କାର୍ଯ୍ୟରେ ୪୧ ହେଲିକେପ୍ଟର, ୮୪ ସ୍ୱତନ୍ତ୍ର ଟ୍ରେନ ଏବଂ ୧ ଲକ୍ଷ କାର ନିଯୁକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ ୧ ହଜାର ୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସାଢେ ତିନି କୋଟିରୁ ଅଧିକ ଯୁବ ଭୋଟର ଏଥର ମତଦାନ କରିବେ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ୧୦୨ ଲୋକସଭା ଆସନରେ ହେବାକୁ ଥିବା ମତଦାନରେ ତାମିଲନାଡୁର ସର୍ବାଧିକ ୩୯ ଆସନ ରହିଛି । ରାଜସ୍ଥାନର ୧୨, ୟୁପିର ୮, ଉତରାଖଣ୍ଡର ୫, ବିହାରର ୪, ଆସାମର ୪, ମଧ୍ୟପ୍ରଦେଶର ୬, ଅରୁଣାଚଳ ପ୍ରଦେଶର ୨ ଆସନରେ ଭୋଟ୍ ଗ୍ରହଣ ହେବ । ସେହିପରି ପଶ୍ଚିମବଙ୍ଗର ୩, ମହାରାଷ୍ଟ୍ରର ୫ ଏବଂ ଛତିଶଗଡ଼, ତ୍ରିପୁରା, ଜମ୍ମୁ-କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦୀପ ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଆସନରେ ଭୋଟ୍ ଗ୍ରହଣ ହେବ ।