ଓଡ଼ିଶାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱର,୨୯/୦୧: ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡିଶା ଆସି ପହଂଚିଛନ୍ତି । ତାଙ୍କ ଦିନିକିଆ ଓଡିଶା ଗସ୍ତକୁ ନେଇ ନେତା, ମନ୍ତ୍ରୀ ଓ କର୍ମୀ ସମସ୍ତେ ଉତ୍ସାହିତ ଅଛନ୍ତି । ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡିଶା ଗସ୍ତ । ସେ ଓଡିଶା ବଞ୍ଚାଅ ସମାବେଶରେ ସାମିଲ ହେବେ । ଏହି ଗସ୍ତର ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନ ଉପରେ କିଭଳି ପଡିବ ସେନେଇ ପିସିସି ମଧ୍ୟ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛି । ଓଡିଶା ଗସ୍ତ ସମୟରେ ଏନେଇ ଦାୟିତ୍ୱରେ ଥିବା ନେତାଙ୍କ ସହ ଆଲୋଚନା କରିବେ ଖଡଗେ । ଏହାସହ ଆସନ୍ତା ଫେବୃୟାରୀ ୧୪ ତାରିଖରୁ ରାହୁଲ ଗାନ୍ଧୀ ଓଡିଶାର ୪ ଜିଲ୍ଲାରେ ୪ ଦିନିଆ ଭାରତ ଯୋଡୋ ନ୍ୟାୟ ଯାତ୍ରା କରିବେ । ଏହା କିଭଳି ସଫଳ ହେବ ସେ ନେଇ ମଧ୍ୟ ଖଡଗେ ନେତାଙ୍କ ସହ ଆଲୋଚନା କରିବେ । ଓଡିଶା ଗସ୍ତ କାଳରେ ସେ ରାଜ୍ୟର ଇଣ୍ଡିଆ ମେଣ୍ଟ କର୍ମକର୍ତ୍ତାଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ସ୍ଥିର ହୋଇଛି ।