ବିଜେପିରେ ଯୋଗ ଦେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

ଭୁବନେଶ୍ୱର, ୨୫/୦୧: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ପୁଣିଥରେ ବିଜେପିରେ ସାମିଲ ହୋଇଛନ୍ତି । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଶେଟ୍ଟାର ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିରୂପା, ମିଡିଆ ବିଭାଗର ମୁଖ୍ୟ ପ୍ରବକ୍ତା ଅନିଲ ବେଲୁନୀ ପ୍ରମୁଖ ଉପସ୍ଥିତ ଥିଲେ । କଂଗ୍ରେସରେ ଯୋଗ ଦେବା ପରେ ଶେଟ୍ଟାରଙ୍କୁ ଦଳ ହୁବଲୀ ଧାରବାଡ ମଧ୍ୟ ଆସନରୁ ପ୍ରାର୍ଥୀ କରିଥିଲା । ହେଲେ ସେ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ ।